ମାଲକାନଗିରି,ତା:୨୫/୦୫(ପିପିଟି);ରାଷ୍ଟ୍ରୀୟ ମଧ୍ଯ ବିତ୍ତ ପରିବାର ମହାସଙ୍ଘ ମାଲକାଗିରି ଜିଲ୍ଲା ଶାଖା ତରଫରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ସ୍ଥାନୀୟ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁଙ୍କ ମାଧ୍ଯମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲଖ କରାଯାଇଛି ଯେ କରୋନା ମହାମାରୀକୁ ରୋକିବା ପାଇଁ ଟୀକା ନେବା ପାଇଁ ସରକାରଙ୍କ ଦ୍ବାରା ଉଚିତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ମୋବାଇଲ ଦ୍ବାରା ବା ଅନ୍ ଲାଇନ୍ ଦ୍ବାର ପଞ୍ଜୀକରଣ କରିବା ଲାଗି ଯେଉଁ ବ୍ଯବସ୍ଥା କରାଯାଇଛି ,ତାହା ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ଯୁଷିତ ପଛୁଆ ଅଞ୍ଚଳରେ ସେତଟା ଫଳପ୍ରଦ ହେବା ଅସମ୍ଭବ । ମାଲକାନଗିରି ଜିଲ୍ଲାରେ ୭୦ ପ୍ରତିଶତ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ଅଧିକାଂଶ ଗ୍ରାମାଞ୍ଚଳର ଲୋକ ଅଶିକ୍ଷିତ ଏବଂ ଶ୍ରମିକ ଶ୍ରେଣୀର ଅଟନ୍ତି । ସେମାନଙ୍କ ନିକଟରେ ମୋବାଇଲ ନାହିଁ ବା କମ୍ପୁଟର ମାଧ୍ଯମରେ ଅନ ଲାଇନରେ ଟୀକା ପାଇଁ ନାମ ପଞ୍ଜୀକରଣ କରିବା ସଂପର୍କରେ ଅବଗତ ନୁହଁନ୍ତି । ଏଣୁ ରାଜ୍ଯ ସରକାର ଅପ୍ ଲାଇନର ବ୍ଯବସ୍ଥା କରି ସମସ୍ତଙ୍କୁ ଟୀକା କରଣ କରିବାକୁ ସଙ୍ଘ ଦାବି କରିଛି । ଏହା ବ୍ଯତୀତ ଘରକୁ ଘର ଯାଇ କରୋନା ରୋଗ ସଂକ୍ରମଣ ବ୍ଯକ୍ତିଙ୍କ କଫ,ଲାଳ ନମୁନା ସଂଗ୍ରହ କରିବା ପାଇଁ ସ୍ବାସ୍ଥ୍ଯ କର୍ମୀମାନଙ୍କୁ ପ୍ରେରଣ କରିବାକୁ ଦାବି କରାଯାଇଛି । ଫଳରେ ମାଲକାନଗିରି ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ସମ୍ଭବ ହେବ । ଆନ୍ଧ୍ର ପ୍ରଦେଶ ଏବଂ ଛତିଶ ଗଡ ରାଜ୍ଯକୁ ମାଲକାନଗିରି ସୀମା ଲାଗିଥିବାରୁ ଏବଂ ମାଲକାନଗିରି ଜିଲ୍ଲାରୁ ଅଧିକାଂଶ ଶ୍ରମଜୀବୀ ସେହି ସବୁ ରାଜ୍ଯରୁ ଫେରିଥିବାରୁ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହା ଛଡା କରୋନା ସଂକଟ କାଳରେ ମାଲକାନଗିରି ଜିଲ୍ଲାରେ କିଛି ଅସାଧୁ ବ୍ଯବସାୟୀମାନେ ଦରଦାମକୁ ମନ ଇଛା ମୂଲ୍ଯ ବୃଦ୍ଧି କରୁଥିବାରୁ ସାଧାରଣ ଖାଉଟିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ଲାଗି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ସଙ୍ଘର ମାଲକାନଗିରି ଶାଖା ସଂପାଦକ କେ.ବାଲାରାଜୁ ଆଚାରୀ ଏବଂ ଗୋବିନ୍ଦ ପଲ୍ଲୀ ପୂର୍ବତନ ସରପଞ୍ଚ ରଘୁରାମ କିଚିପାଡିଆ ଖଇରପୁଟ ବିଡିଓଙ୍କୁ ଆଜି ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଅର୍ପଣ କରିଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)