କରୋନା ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ ।

0 529

ବାଲିଗୁଡା,୨୪/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସେହି ପରିବାରର ଜଣେ ଓ ସାହିରୁ ଅନ୍ୟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପଡ଼ୋଶୀ ସାହି ବୁଦେଲପଡ଼ିରେ ମଧ୍ୟ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ବୁରାଙ୍ଗିଆ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅନେକ ଲୋକ ଭୟରେ ଜଙ୍ଗଲରେ ଲୁଚିଥିବା ଜଣାପଡ଼ିଛି । ସରକାରୀ ବାବୁମାନେ ଆସି ସେମାନଙ୍କୁ କାଳେ କୁଆଡ଼େ ନେଇଯିବେ ଭାବି ସେମାନେ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ବୁରାଙ୍ଗିଆ ଅଞ୍ଚଳରେ ପ୍ରାୟ ୫୦ ପରିବାରରେ ଜ୍ୱର, ଥଣ୍ଡା ରୋଗୀ ରହିଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଖବର ପାଇଥିଲେ। ଏନେଇ ସେ ବୁରାଙ୍ଗିଆ ଅଞ୍ଚଳ ପରିଦର୍ଶନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଡାକ୍ତରୀ ଦଳ ସହ ଦାରିଙ୍ଗବାଡ଼ି ବିଡିଓ ଅଭିମନ୍ୟୁ ବେହେରା ଏବଂ ତହସିଲଦାର କଳାକୃଷ୍ଣ ପ୍ରଧାନ ପହଞ୍ଚି ଥିଲେ । ଜ୍ୱର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କ ଆଣ୍ଟିଜେନ ଏବଂ ୨୩ ଜଣଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି। ପ୍ରଶାସନ ଉକ୍ତ ଗ୍ରାମର ଲୋକଙ୍କୁ ବୁଝାଶୁଝା କରି ୪୩ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ସାମନ୍ତରାୟ କହିଛନ୍ତି। ଏପଟେ ଡାକ୍ତରୀ ଦଳ ଏବଂ ପ୍ରଶାସନିକ ଅଧିକାରୀ ରବିବାର ବୁରାଙ୍ଗିଆ ଆସି ଲୋକଙ୍କୁ ସଚେତନ କରିଥିଲେ। ବୁରାଙ୍ଗିଆ ଏବଂ ଝାରମୁଣ୍ଡା ଗ୍ରାମର ପ୍ରବେଶ ପଥରେ ବ୍ୟାରିକେଡ୍‌ କରାଯାଇଛି। ସେହିପରି ସର୍ଭେ ପାଇଁ ଆଶା, ଅଙ୍ଗନାୱାଡ଼ି କର୍ମୀଙ୍କୁ କୁହାଯାଇଥିଲେ ସୁଦ୍ଧା ସେମାନଙ୍କୁ ସର୍ଭେଲାନ୍ସ ପାଇଁ ପିପିଇ କିଟ୍‌ ସହ ପରୀକ୍ଷା ପାଇଁ କୌଣସି କିଟ ମିଳି ନ ଥିବାରୁ ସର୍ଭେ କରାଯାଇ ପାରିନାହିଁ।

(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.