ଭଞ୍ଜନଗର,୧୬/୦୫(ପିପିଟି);ବର୍ତ୍ତମାନ ସମୟରେ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଲକ ଡାଉନ,ସଟ ଡାଉନ ଭଳି କେତେକ କଟକଣା ଜାରି କରିଛନ୍ତି।ହେଲେ ଏହି ସମୟରେ କାମଧନ୍ଦା ସବୁ ବନ୍ଦ ହେବା ଫଳରେ ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅର୍ଥାଭାବରୁ ବହୁ ଲୋକ ଭୋକ ଉପାସରେ ଦିନ କାଟୁଥିବା ବେଳେ ଖାଦ୍ୟ ସଂଗ୍ରହ ପାଇଁ ଜୀବନ ହରାଇବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଆମ୍ବପୁଆ ନିକଟ ବଜ୍ରଗଡ଼ ଗ୍ରାମର ନାରାୟଣ ନାୟକ(୩୨) ଶ୍ରମିକ ଭାବେ କାର୍ଯ୍ୟ କରି ଯାହା ରୋଜଗାର କରନ୍ତି ସେଥିରେ ପତ୍ନୀ ଗୀତା ଓ ଏକମାତ୍ର ଦେଢ଼ ବର୍ଷର ଶିଶୁପୁତ୍ର ଚଳୁଥିଲେ।ହେଲେ ଲକ ଡାଉନ ସକାଶେ ଚାରିଆଡ଼େ କାମ ବନ୍ଦ ଥିବାରୁ ଘରେ ଥିବା ପଇସା ପତ୍ର ମଧ୍ୟ ସରିଗଲା। ପନିପରିବା ଦର ଅଧିକ ଥିବାରୁ ତାହା କିଣି ଖାଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ତେଣୁ ଗତ ତିନିଚାରି ଦିନ ହେବ ପଖାଳ ଭାତ ଓ ଲୁଣ ମରିଚ ଖାଇ ଚଳୁଥିଲେ ନାରାୟଣର ପରିବାର ଲୋକେ। ହେଲେ କିଛି ଆମ୍ବ ଗୋଟାଇ ଆଣିଲେ ସେଥିରେ କିଛିଦିନ ଚଳିଯିବେ ଭାବି ନାରାୟଣ ଆଜି ଭୋର ସମୟରେ ନିକଟସ୍ଥ ଆମ୍ବତୋଟାକୁ ଯାଇଥିଲା।ହେଲେ ବାରହା ଶିକାର ପାଇଁ ସେଠାରେ କେହି ବିଦ୍ୟୁତ ତାର ବିଛାଇ ଥିବା ବେଳେ ନାରାୟଣ ଅଜାଣତରେ ସେହି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଏସମ୍ପର୍କରେ ତାର ପତ୍ନୀକୁ ଖବର ଦେଇଥିଲେ ଏବଂ କିଛି ଗ୍ରାମବାସୀ ସଙ୍ଗେ ସଙ୍ଗେ ନାରାୟଣକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ଆଣିଥିଲେ। ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ବେଲଗୁଣ୍ଠା ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବିଶେଷ କରି ଗ୍ରାମାଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ସେଥିରେ ଲାଗି ବହୁ ସାଧାରଣ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )