ମାଲକାନଗିରି,ତା:୧୬/୦୫(ପିପିଟି);ବର୍ତ୍ତମାନ ଗ୍ରୀଷ୍ମ ଋତୁ ହେତୁ ପ୍ରଚଣ୍ଡ ରୌଦ୍ର ତାପରେ ଜନ ଜୀବନ ଦୁର୍ବିସହ ହୋଇପଡୁଛି । ଦିନ ୧୦ଟା ରୁ ଆରମ୍ଭ ହୋଇ ଯାଉଛି ଗ୍ରୀଷ୍ମ ଲହରୀ । ଲୋକମାନେ ଟାଣ ଖରା ହେତୁ ବାହାରକୁ ଯିବାକୁ ସାହସ ସଞ୍ଚାର କରି ପାରୁ ନଥିବା ବେଳେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଅପହଞ୍ଚ ଅଞ୍ଚଳରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି । ଗାଁ ଲୋକମାନଙ୍କ ଅଭିଯୋଗ ସତ୍ବେ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି ।ପ୍ରାପ୍ତ ସୂଚନା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପଞ୍ଚାୟତର ଘାଟୁକୁଣ୍ଡା ଗାଁରେ ବର୍ତ୍ତମାନ ଉତ୍କଟ ପାନୀୟ ଜଳ ସଂକଟ ଦେଖା ଦେଇଛି । ଗାଁ ଲୋକମାନେ ଟୋପେ ପାନୀୟ ଜଳ ପାଇଁ ନାହିଁ ନଥିବା ହଇରାଣ ହରକତର ସମ୍ମୁଖିନ ହେବାକୁ ପଡୁଛି ।ଏହି ଗ୍ରାମରେ ୪ଟି ନଳକୂପ ରହିଛି । ତନ୍ମଧରୁ ୩ଟି ନଳକୂପ ସଂପୂର୍ଣ୍ଣ ଅଚଳ ହୋଇଥିବା ବେଳେ ଅନ୍ଯ ଏକ ନଳକୂପରୁ ସଂଚାଳନ କଲେ କମ ଜଳ ନିଷ୍କାସିତ ହେଉଛି । ଫଳରେ ପ୍ରତି ଘରକୁ ପାନୀୟ ଜଳ ମିଳିବା କଷ୍ଟ ସାଧ୍ଯ ହୋଇ ପଡୁଛି । ପାଣି ଟୋପେ ପାଇଁ ନଳକୂପରେ ଘଣ୍ଟା ଘଣ୍ଟା ଜଗିବାକୁ ପଡୁଛି । ଅନ୍ଯ ପକ୍ଷରେ ଘାଟୁକୁଣ୍ଡା ଗାଁରେ ଗୋଟାଏ ପାଣି ଟାଙ୍କି ବି ରହିଛି । ସେହି ଟାଙ୍କି ମଧ୍ଯ ଅଚଳ ଅବସ୍ଥାରେ ମାସ ମାସ ପଡି ରହିଛି । ସେହି ଗାଁରେ ଲୋକମାନଙ୍କ ସ୍ନାନ କରିବା,ଲୁଗା ପଟା ସଫା କରିବା ଲାଗି ଗୋଟାଏ ମାତ୍ର ପୋଖରୀ ଖନନ କରାଯାଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗଁ ଜଳସ୍ତର ସଂପୂର୍ଣ୍ଣ ହ୍ରାସ ପାଇଛି,ଯାହାକି ଗ୍ରାମବାସୀମାନେ ପୂର୍ବ ପରି ସ୍ନାନ ଶୌଚ କରିବା ଲାଗି ଅସୁବିଧର ସମ୍ମୁଖିନ ହେଉଥିବା ଜଣା ପଡିଛି । ଅଚଳ ନଳକୂପ ଏବଂ ଅଚଳ ପାଣି ଟାଙ୍କିକୁ ତୁରନ୍ତ ମରାମତି ଲାଗି ଗ୍ରାମବାସୀମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଏବଂ ଚିତ୍ରକୋଣ୍ଡା ବ୍ଲକରେ ଅଭିଯୋଗ କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଜଣା ପଡିଛି । ଏଣେ ରାଜ୍ଯ ସରକାର ଚିତ୍ରକୋଣ୍ଡାର ବିକାଶର ଚିତ୍ରକୁ ସର୍ବ ସମ୍ମୁଖରେ ପ୍ରଚାର ପ୍ରସାର କରୁଥିଲେ ମଧ୍ଯ ପିଇବା ପାଇଁ ବୁନ୍ଦାଏ ଜଳ ଆଦିବାସୀ ଗାଁରେ ମିଳିବା କାଠିକର ପାଠ, ଯାହାକି ଘଟୁକୁଣ୍ଡା ଆଦିବାସୀ ଗାଁଟି ଏକ ନଗ୍ନ ଦୃଷ୍ଟାନ୍ତ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)