ବାଲିଗୁଡା,୨୫/୦୩(ପିପିଟି): ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଥିବା ବେଳେ କନ୍ଧମାଳ ଜିଲ୍ଲାରେ ବି ଏନେଇ ପଡିଛି ପ୍ରଭାବ। କୋଭିଡ-୧୯ର ଦ୍ୱିତୀୟ ଲହର ଆଶଙ୍କାରେ ଆଗୁଆ ସଜାଗ ହୋଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଗୁରବାର କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ତୋଟାଗୁଡା ମୌଜାର ବ୍ରାହ୍ମଣସାହିର ଏକ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଆଜି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଅଞ୍ଚଳରେ ଅସ୍ଥାୟୀ ଚେକପୋଷ୍ଟ ବସାଇବା ସହ ଅଞ୍ଚଳକୁ ଲୋକଙ୍କ ଯାତାୟତ ନିୟନ୍ତ୍ରିତ କରିବା ପାଇଁ ଚକାପାଦ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଠାକୁ ସମସ୍ତ ଯାନ ବାହାନ ଓ ଲୋକଙ୍କ ଯିବା ଆସିବା ଉପରେ ସୂଂପର୍ଣ୍ଣଭାବେ ନିଷେଧାଦେଶ ଜାରି କରାଯାଇଛି। ଏଥି ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ଅଞ୍ଚଳରେ ଘରକୁ ଘର ବୁଲି ନମୂନା ସଂଗ୍ରହ କରିବା ଏବଂ କୌଣସି ସନ୍ଦିଗ୍ଧ ରୋଗୀଙ୍କୁ ପାଇଲେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନରେ ବ୍ୟାରିକେଡ ନିର୍ମାଣ ପାଇଁ ଚକାପାଦ ବିଡିଓଙ୍କୁ ନିର୍ଦ୍ଦେଶ ମିଳିଛି। ମୋଟାମୋଟି ଭାବେ ସମସ୍ତ କୋଭିଡ ପ୍ରୋଟୋକଲକୁ ଏହି ଅଞ୍ଚଳରେ ତୁରନ୍ତ ଲାଗୁ କରିବା ପାଇଁ ଜିଲ୍ଲାପାଳ ଆଜି ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଅପରପକ୍ଷରେ ଆଜି ଜିଲ୍ଲାରେ ଜଣେ ନୂତନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ଟିଭ କେସ ୩ରେ ପହଂଚିଛି। ଏଥିସହ ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ଜରୋନା ପଜିଟିଭଙ୍କ ସଂଖ୍ୟା ୫୯୫୫ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୫୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ସରକାରି ଭାବେ ମୃତ୍ୟୁବରଣ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Prev Post