ଅନ୍ନଦାତାର ହକ ପାଇଁ ଗଣବିକ୍ଷୋଭ ଏବଂ କୃଷକ ସର୍ବନାଶକାରୀ ୩ଟି ବିଲକୁ ପୋଡିଲେ ।

0 563

ଆସିକା,ତା ୧୩/୦୧(ପିପିଟି); ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, ଆସିକା ପକ୍ଷରୁ କୃଷକ ଓ କୃଷି ଶ୍ରମିକଙ୍କ ଏକ ଶୋଭାଯାତ୍ରା ଆସିକା ପୁରୁଣା ବସ୍‌ଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରିବା ପରେ ଆସିକା ଗୋଷ୍ଠି ଉନ୍ନୟନ ଅଧୁକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଦିଷ୍ଟ ୩ଟି କୃଷି ଆଇନକୁ ପୋଡିଲେ ଏବଂ ଅନ୍ନଦାତାର ହକ ପାଇଁ ଗଣବିକ୍ଷୋଭ କରି ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଣବିକ୍ଷୋଭରେ ଉପସ୍ଥିତ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ କୃଷିକ୍ଷେତ୍ରର କର୍ପୋରେଟୀକରଣ ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ତୀବ୍ର ଭର୍ସନା କରିଥିଲେ । ଲକ୍ଷ ଲକ୍ଷ ଚାଷି ଶୀତ କାକରରେ ଦୀର୍ଘ ୫୦ ଦିନ ଧରି ଦିଲ୍ଲୀ ଚାଲ ଆହ୍ବନରେ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ୬୦ରୁ ଉର୍ଦ୍ଧ୍ବ ଚାଷୀ ଆତ୍ମ ବଳିଦାନ ଦେବା ସତ୍ବେ ସରକାରଙ୍କ ନିଦ ନଭାଙ୍ଗିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଖିଳ ଭାରତ କୃଷକ ସଭାର ନେତା ଆଇନଜୀବି ବିଦେଶୀ ନାହକ ପ୍ରକାଶ କରିଥିଲେ । ଦେଶର ସମଗ୍ର କୃଷକ ସମାଜ ମଣ୍ଡି ହରଣ, ଠିକା ଚାଷ ଆଇନ ଓ ଅତ୍ୟାବଶ୍ୟକୀୟ ସଂଶୋଧନ ଆଇନ ୨୦୨୦କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଏବଂ କୃଷିଜାତ ସମସ୍ତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟକୁ ସୁନିଶ୍ଚିତ କରିବା ପାଇଁ ଆଜିର ଆବଶ୍ୟକତା କହି ଜୀବନ ମରଣ ସଂଘର୍ଷ ଲଢୁଥିବା ବେଳେ ମୋଦି ସରକାର ଆଦାନୀ, ଆମ୍ବାନୀ ଭଳି ବଡ ବଡ କର୍ପୋରେଟଙ୍କ ସ୍ୱାର୍ଥରେ କଳ ବଳ କୌଶଳରେ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଫାସିବାନୀ ଚରିତ୍ର ଆପଣାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟକୁ ଆୟୁଧ କରି ସ୍ଥଗିତାଦେଶ ଦେବା ଏବଂ ସଂଶୋଧନ କରିବା ପାଇଁ ଏକ କମିଟି ଗଠନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । କୃଷି ଏକ ରାଜ୍ୟ ବ୍ୟାପାର ହୋଇଥିବା ବେଳେ କେନ୍ଦ୍ର ରାଜ୍ୟର କ୍ଷମତା ସଂକୁଚିତ କରିଛି, ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ବଦଳରେ ନବୀନ ସରକାର ଦୋହୁଁହା ଚରିତ୍ର ଆପଣାଇ ଚାଷୀର କଟା ଘାରେ ଚୂନ ଦେବାପାଇଁ କୃଷକ ବିରୋଧି କୃଷି ସଂମ୍ପର୍କୀୟ ଅଧ୍ୟାଦେଶ ପାରିତ କରିଛନ୍ତି ବୋଲି ଓଡ଼ିଶା କୃଷକ ସଭାର ନେତା ଲକ୍ଷ୍ମଣ ପାଢ଼ୀ ପ୍ରକାଶ କରିଛନ୍ତି । ଦେଶର ଦୁର୍ବାର କୃଷକ ଆନ୍ଦୋଳନ ସତ୍ତ୍ୱେ ରାଜ୍ୟରେ ସମସ୍ତ ମଣ୍ଡି ଖୋଲି ନାହିଁ କି ଚୀଷୀର ଧାନ ଉଠୁ ନାହିଁ । ଟୋକନ ବ୍ୟବସ୍ଥା ରେ ଚାଷୀମାନେ ହନ୍ତସନ୍ତ ହେବା, ଧାନର ମାନ ଖରାପ କହି କୁଇଣ୍ଟାଲ ପ୍ରତି ୫ ରୁ ୭ କେକି ଧାନ କାଟିନେବା, ଅଖା- ପରିବହନ-ଲେବର ପ୍ରାପ୍ୟ ଚାଷୀକୁ ଫେରସ୍ତ କରାଯାଉନାହିଁ ଏବଂ ଯୋଗାଣ ବିଭାଗ ଓ ମିଲରମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ୯୫ ପ୍ରତିଶତ ଭାଗଚାଷୀ ମଣ୍ଡିରେ ଧାନ ବିକ୍ରୀ କରିପାରୁନାହାନ୍ତି ବୋଲି ଚାଷୀନେତାମନେ କ୍ଷୋଭ ପ୍ରକାଶ କରିଛନ୍ତି । ଦେଶର କୃଷି ଓ ଖାଦ୍ୟ ବ୍ୟବସ୍ଥାକୁ କର୍ପୋରେଟୀକରଣ କରି ଆଦାନୀ, ଆମ୍ବାନୀ ଏବଂ ବଡ଼ କର୍ପୋରେଟଙ୍କ ଲାଭ ପାଇଁ ଉଭୟ ଚାଷି ଓ ଖାଉଟିଙ୍କୁ ତଳି ତଳାନ୍ତ କରିବା ନୀତିକୁ ବରଦାସ୍ତ କରାଯିବ ନାହିଁ । ଏହି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଆସନ୍ତା ୨୩ ଜାନୁଆରୀରେ ରାଜଭବନ ମାର୍ଚ୍ଚ କରିବା ସହ ୨୬ ଜାନୁଆରୀରେ କୃଷକ ଓ ଶ୍ରମିକଙ୍କ ମିଳିତ ସମାନ୍ତରଳ ପ୍ୟାରେଡ ଅନୁଷ୍ଠିତ ହେବ । ଏହା ମୋଦି ସରକାରଙ୍କ ନୀତି ବିରୁଦ୍ଧରେ ଖୋଲା ଚେତାବନୀ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ସ୍ମାରକ ପତ୍ରରେ ଓଡ଼ିଶାରେ ଧାନ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ସର୍ବନିମ୍ନ ସହାୟକ ଦର ଧାର୍ଯ୍ୟ ଏବଂ କେନ୍ଦ୍ର ସରକାର ଏହି ମୂଲ୍ୟ ନିର୍ଦ୍ଧାରଣ କରିବା ପର୍ଯ୍ୟନ୍ତ କୁଇଣ୍ଟାଲ ପ୍ରତି ୧ ହଜାର ଟଙ୍କା ବୋନସ ଆକାରରେ ପ୍ରଦାନ କରିବା, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରାଥମିକ ସୋସାଇଟି, ଗ୍ରାମ ପଞ୍ଚାୟତ ସଂସ୍ଥା ଜରିଆରେ ଧାନ ସଂଗ୍ରହ, ମଣ୍ଡି ବ୍ୟବସ୍ଥାକୁ ସଂପ୍ରସାରଣ, ସୁଦୃଢ଼ ଏବଂ ସୁରକ୍ଷିତ କରିବା ପାଇଁ ବିହୀତ ପଦକ୍ଷେପ, ଟୋକନ ବ୍ୟବସ୍ଥାରେ ସରଳୀକରଣ କରି ଭାଗଚାଷୀ ଠାରୁ ଧାନ ସଂଗ୍ରହ କରିବା, ମିଲର ମାନଙ୍କ ମନମୁଖୀକୁ ରୋକିବା ପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ମିଲରମାନଙ୍କ ମଧୁଚନ୍ଦ୍ରିକାକୁ ଦୃଢ଼ ହସ୍ତରେ ଦମନ କରିବା, ରାଜ୍ୟ କ୍ୟାବେନେଟରେ ପାରିତ କୃଷକ ବିରୋଧ କୃଷି ସଂମ୍ପର୍କୀୟ ଅଧାଦେଶ ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଏବଂ ଭାଗଚାଷୀ ଓ କୃଷିଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟାପକ ଆଇନ ପ୍ରସ୍ତୁତ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଏହି ଗଣବିକ୍ଷୋଭରେ ଏ.ଆଇ.କେ.କେ. ଏସ୍‌ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ବ୍ଳକ ନେତା କେଶବ ସ୍ବାଇଁ, ଓଡିଶା କୃଷକ ସଭାର ଲକ୍ଷ୍ମଣ ପାଢ଼ୀ, ସୁବାସ ପ୍ରଧାନ, କୀର୍ତ୍ତନ ଗୌଡ, ଏଆଇକେଏସ୍ ର ବିଦେଶୀ ନିହାକ, ଶିକ୍ଷକ ନେତା ପୀତବାସ ମହାପାତ୍ର, ଶ୍ରମିକ ନେତା ରାମଚନ୍ଦ୍ର ବାଡତ୍ୟ ଏବଂ କାଳୁ ସାହୁ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.