ବେଗୁନିଆପଡା ଓଏଲ୍ଏମ୍ ବିଭାଗରେ ଅନ୍ଧାରିରାଜ,ବିନା ବିଜ୍ଞାପନରେ ଚାଲୁଛି ନିଯୁକ୍ତି, ପରୀକ୍ଷା ହେବା ପୂର୍ବରୁ ଅଧିକାରୀ ଘୋଷଣା କରିଛନ୍ତି ନାମ ।
କୋଦଳା,୨୦/୧୦(ପିପିଟି);ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଅନ୍ଧାରିରାଜ ଚାଲୁଥିବା ନେଇ ଆଲୋଚନା ହେଉଛି । ସରକାରୀ ବ୍ୟବସ୍ଥାକୁ ଚକମା ଦେଖାଇ ପ୍ରିୟା ପ୍ରୀତି ତୋଷଣ ନୀତିରେ ଚାଲିଛି ବିଭାଗ । ପ୍ରାପ୍ତ ସୂଚନା ଅନୁଯାୟୀ ଓଏଲ୍ଏମ୍ ବିଭାଗରେ ୫ ମାସ ପୂର୍ବେ ବେଗୁନିଆପଡା ପଂଚାୟତ ପ୍ରାଣୀ ମିତ୍ର ପାଇଁ ଗୋଟିଏ ପଦବୀ ଓ କୃଷି ମିତ୍ର ପାଇଁ ୨ ଟି ପଦବୀରେ ନିଯୁକ୍ତି ହେବା ପାଇଁ ଜିଲ୍ଲା ସ୍ତରରୁ ନିର୍ଦ୍ଦେଶନାମା ଆସିଥିଲା ଓ ଏହି ପଦବୀ ପାଇଁ ଓଏଲଏମ୍ ର କାର୍ଯ୍ୟ ନିର୍ବାହୀ କମିଟି ଦ୍ୱାରା ଅନୁମୋଦନ କରାଯାଇ ସ୍ୱତନ୍ତ୍ର ବିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶନାମା ଥିବା ବେଳେ ବେଗୁନିଆପଡା ଓଏଲ୍ଏମ୍ ବିଭାଗ ପକ୍ଷରୁ କୌଣସି ବିଜ୍ଞାପନ ନ ବାହାର କରାଯାଇ କେବଳ କାନ କୁହା ଖବର ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ପ୍ରାଣୀ ମିତ୍ର ପଦବୀ ପାଇଁ ୩ ଜଣ ଆବେଦନ କରିଥିବା ବେଳେ କୃଷି ମିତ୍ର ପଦବୀ ପାଇଁ ୨ ଜଣ ଆବେଦନ କରିଥିଲେ l କିନ୍ତୁ ପରୀକ୍ଷା ଦିନ ଉଭୟ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । କୃଷି ମିତ୍ର ପାଇଁ ଜଣେ ମହିଳା ଚୟନ ହୋଇଥିବା ବେଳେ ପ୍ରାଣୀ ମିତ୍ର ପାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଧିକ ମାର୍କ ରଖିଥିବା ବେଳେ ଆଉ ଜଣେ ମହିଳା ଦ୍ଵିତୀୟ ସ୍ଥାନରେ ଅଛନ୍ତି କିନ୍ତୁ ଫଳାଫଳ ପ୍ରକାଶ ନ କରାଯାଇ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତିଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଏହି ପଦବୀ ପାଇଁ କେବଳ ମହିଳା ହିଁ ଆବେଦନ କରିପାରିବେ ଓ ଏଇଥି ପାଇଁ ଵିଜ୍ଞାପନ ନିହାତି ଆବଶ୍ୟକ ଉକ୍ତ ଆବେଦନକାରୀ ମହିଳା ଏସଏଚଜି ର ସଦସ୍ୟା ହୋଇଥିବା ଦରକାର । କିନ୍ତୁ ବେଗୁନିଆପଡା ଓଏଲ୍ଏମ୍ ଭାରପ୍ରାପ୍ତ କାର୍ଯ୍ୟଗ୍ରାହୀ କିପରି ବିନା ଵିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କଲେ ଓ ଏହି ପଦବୀ ଯଦି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ତେବେ ପୁରୁଷ କିପରି ପରୀକ୍ଷା ଦେଲେ ? ଅଥବା ଯଦି ସେ ନିୟମ ବିଷୟରେ ଜାଣି ନଥିଲେ ତେବେ ପରୀକ୍ଷା ହେବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ସବୁ ଲୁଚାଇଥିଲେ । ସେପଟେ ଆବେଦନ ପାଇଁ ଶେଷ ତାରିଖ ଅତିକ୍ରମ ହୋଇଯାଇଥିଲେ ବି ତାଙ୍କ ମନ ମୁତାବକ ପ୍ରାର୍ଥୀଙ୍କ ଠାରୁ ପରେ କିପରି ଆବେଦନ ପତ୍ର ଗ୍ରହଣ କରିଥିଲେ ବୋଲି ଆଶାୟୀ ପ୍ରାର୍ଥୀ ତଥା ଏଥିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇନଥିବା ପିଙ୍କି ରାଉତ ଅଭିଯୋଗ କରିଛନ୍ତି । ସେପଟେ କାର୍ଯ୍ୟକାରୀ କମିଟିର ବିନା ଅନୁମୋଦନରେ ଓଏଲ୍ଏମ୍ କାର୍ଯ୍ୟଗ୍ରlହୀ ଜ୍ଞାନ ରଞ୍ଜନ ରାଉତ ମନ ଇଛା ରାଜ ଚଳାଇଛନ୍ତି ବୋଲି ମହାସଂଘ ଇସି ମେମ୍ବର ଛାୟା ବେହେରା ଅଭିଯୋଗ କରିଛନ୍ତି l ସେହିପରି ଏମ୍ ବି କେ ରଶ୍ମିତା ଗଉଡଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଜ୍ଞାନ ସାର୍ ଙ୍କ ନିର୍ଦ୍ଦେଶ ରେ ହିଁ ଆମେ ସବୁ କାମ କରୁଛୁ । ସେପଟେ ଯଦି ପୁରୁଷ ମାନଙ୍କ ପାଇଁ ପଦବୀ ଉଦ୍ଦିଷ୍ଟ ନୁହେଁ ତେବେ ବିଜ୍ଞାପନ ମାଧ୍ୟମରେ କାହିଁକି ଦର୍ଶାଗଲାନାହିଁ କି ପରୀକ୍ଷାରେ ବସିବା ପୂର୍ବରୁ କାହିଁକି ମନା କରାଗଲା ନାହିଁ ଏବଂ ଓ ଏଲ୍ଏମ୍ ଅଧୀନରେ ବହୁ ସ୍ଥାନରେ ପୁରୁଷ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ଥାଇ ପୁରୁଷ ମାନଙ୍କ ପାଇଁ କାହିଁକି ଏହା ଅଯୋଗ୍ୟ ତାହାକୁ ନେଇ ଯୋଗ୍ୟ ତାଲିକାରେ ପ୍ରଥମରେ ଥିବା ପ୍ରାର୍ଥୀ ପୂର୍ଣଚନ୍ଦ୍ର ସ୍ୱାଇଁ ଅଭିଯୋଗ କରିଛନ୍ତି । ସେପଟେ ଓ ଏଲ୍ ଏମ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ଯୋଗାଯୋଗ କରିବା ପରେ ସେ ସ୍ପଷ୍ଟ ଉତ୍ତର କିଛି ଦେଇପାରିନାହାନ୍ତି । ଏହି ବିଭାଗରେ ବହୁ ଦୁର୍ନୀତି ଚାଲିଥିବା ତଥା ମନମୁଖୀ କାର୍ଯ୍ୟ ଚାଲିଥିବା ବେଳେ କାହା ଇସାରାରେ ଏହା ହେଉଛି ତାହାର ପ୍ରଚ୍ଛଦ ପଟରେ କିଏ ଅଛି ତାହାର ଖୁଲାସା କରାଯିବା ସହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।