ଜଗତସିଂହପୁର,୨୦/୧୦(ପିପିଟି); ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳର ପ୍ରାର୍ଥୀ , ସ୍ୱାଧୀନ ପ୍ରାର୍ଥୀ ଏବଂ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ତିର୍ତ୍ତୋଲ ଉପନିର୍ବାଚନ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ଟି ପଡିଆ ଚିହ୍ନଟ କରାଯାଇଛି। ଚିହ୍ନିତ ପଡିଆକୁ ଛାଡି ଅନ୍ୟ ଯାଗାରେ ସଭା ସମିତି କରିପାରିବେ ନାହିଁ। ରୋଡ୍ ସୋ ଶୋଭାଯାତ୍ରାରେ ୫ଟି ଗାଡିରୁ ଅଧିକ ବ୍ୟବହାର କରିପାରିବେ ନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭାରେ ୨୦୦ଜଣରୁ ଅଧିକ ସମାଗମ ହୋଇପାରିବେ ନାହିଁ। ଏଥର ନିର୍ବାଚନରେ ନୂଆକରି ୮୦ ବର୍ଷରୁ ଉର୍ଦ୍ଧ ଭୋଟର , ଭିନ୍ନକ୍ଷମ ଭୋଟର, କରୋନା ସଂକ୍ରମିତ ବା ସଂକ୍ରମଣ ସନ୍ଦେହରେ ଥିବା ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଘରେଥାଇ ମତଦାନ କରିପାରିବେ ଯାହାକି ଏଥିନିମନ୍ତେ ନିର୍ବାଚନ ମଣ୍ଡଳୀରୁ ୩୬୮୧ ଜଣ ଉକ୍ତ ବର୍ଗର ଭୋଟର ସମ୍ମତି ଜଣାଇଛନ୍ତି। ଅକ୍ଟୋବର ୨୨ ତାରିଖରୁ ୩୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଟିମ୍ ଯାଇ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଗୋପନୀୟ ଭାବେ ମତଦାନର ବ୍ୟବସ୍ଥା କରିବେ। ମୋଟ୍ ୩୬ଟି ସ୍ୱତନ୍ତ୍ର ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ବୁଥ୍ ସାନିଟାଇଜ୍ ହେବାସହ କରୋନା ଆକ୍ରାନ୍ତ ମାନେ ଶେଷ ଘଣ୍ଟାରେ ମତଦାନ କରିବେ। ବୁଥ୍ ରେ ସାନିଟାଇଜର୍ ଓ ଗ୍ଲୋଭ୍ ସ୍ ସମସ୍ତ ଭୋଟରଙ୍କୁ ଯୋଗାଇ ଦିଆଯିବା ସହିତ ଥର୍ମାଲ୍ ସ୍କାନିଂ କରାଯିବ। ଯେଉଁ ମାନଙ୍କର ତାପମାତ୍ରା ଅଧିକ ରହିବ ସେମାନେ ଶେଷ ଘଣ୍ଟାରେ ମତଦାନ କରିବେ। ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ଯୋଗଦେଇ କହିଲେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ନିର୍ବାଚନୀ ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହି କୋଭିଡ୍ ପ୍ରୋଟକଲ୍ ତଦାରଖ କରିବେ। ଉକ୍ତ ବୈଠକରେ ଉପସ୍ଥିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗେଶ ଶୁଖଦେବ୍ ଚିତ୍ତେ କହିଲେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୨୮ ଲକ୍ଷ ଟଙ୍କା ଭାରତୀୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି। ୧୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ପାଇଁ ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରିପାରିବେ। ସଭାସମିତି ପାଇଁ ଗାଡି ଅଧିଗ୍ରହଣ ବାଧ୍ୟତାମୂଳକ । ଅକ୍ଟୋବର ୨୧ ତାରିଖ ଅପରାହ୍ନ ୩ଟାରେ ଇଭିଏମ୍ ଭିଭିପାର୍ଟ ରାଣ୍ଡମାଇଜେସନ୍ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ ହେବ। ୨୨ ଅକ୍ଟୋବରରୁ ବାଲାଟ୍ ପେପର କମିଶନିଙ୍ଗ କରାଯିବ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ଯୋଗଦେଇ କହିଲେ ନିର୍ବାଚନମଣ୍ଡଳୀରେ ୧୫୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ପ୍ରାର୍ଥୀମାନେ ସୁରକ୍ଷା ଦୃଷ୍ଟିରୁ ଅସୁରକ୍ଷିତ ମନେକଲେ ଓ ଲେଖି ଜଣାଇଲେ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯିବ। ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚିଦାନନ୍ଦ ସାହୁ ଏହି ବୈଠକରେ ଯୋଗଦେଇଥିଲେ। ଏଥିସହିତ ଉକ୍ତ ବୈଠକରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତ ୯ଜଣ ପ୍ରାର୍ଥୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।
(ରିପୋର୍ଟ- ପ୍ରତାପ କୁମାର ସିଂହ। )