ଫିରିଙ୍ଗିଆ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନରେ ମହିଳା ସଂଘ ସହ ହାତ ମିସାଇଲା ଯୁବକ ସଂଘ।

0 277

ଫୁଲବାଣୀ,ତା-୧୫/୧୦(ପିପିଟି)କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ନିଶା କାରବାରର ଭୂସ୍ବର୍ଗ ବୋଲି କୁହାଯାଉଥିବା ବେଳେ ଅବକାରୀ ଓ ପୋଲିସ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ଏହି ବିଭାଗୀୟ କର୍ମଚାରୀ ମାନେ ନିଶା ମାଫିଆ ଓ ବ୍ୟବସାୟୀଙ୍କ ସହ ସୁସମ୍ପର୍କ ରଖିଥିବା ଯୋଗୁଁ ନିଶା କାରବାର ନିୟନ୍ତ୍ରଣ ହେଉନଥିବା ଅଭିଯୋଗ କରିଛନ୍ତି ମହିଳା ସଂଘ । ବ୍ଲକର ଦୁଇଟି ପଞ୍ଚାୟତ ଦୁମୁରିଗୁଡା ଓ ନୂଆପଦରରେ ଚୋରା ମଦ କାରବାର ନେଇ ଅଞ୍ଚଳର ମହିଳା ସଂଘ ଏହି ନିଶା କାରବାରକୁ ବନ୍ଦ କରିବା ପାଇଁ ଆଗେଇ ଆସିଥିବା ବେଳେ ଏହି ଅଞ୍ଚଳର ଯୁବ ସଂଗଠନ ଗୁଡ଼ିକ ମଧ୍ୟ ଏହିମାନଙ୍କ ସହ ହାତ ମିସାଇଛନ୍ତି । ଏନେଇ ଗତ ଦୁଇ ଦିନ ତଳେ ଦୁମୁରିଗୁଡା ଠାରେ ନାରୀ ସଂଘ ଓ ଯୁବକ ସଂଘଙ୍କର ମିଳିତ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ରଘୁପତି କହଁରଙ୍କ ସଭାପତିତ୍ୱରେ ନୂଆପଦର ସରପଞ୍ଚ ମହାରାଗି ଦିଗାଲ , ଦୁମୁରିଗୁଡା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କହଁରଙ୍କ ଉପସ୍ଥିତିରେ ଏହି ଦୁଇ ପଞ୍ଚାୟତର ୪୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଉପସ୍ଥିତ ରହି ନିଷ୍ପତି ନେଇଛନ୍ତି ଅଞ୍ଚଳରେ ମଦ ବିକ୍ରି କରି ମହିଳା ସଂଘ ଦ୍ୱାରା ଧରା ପଡିଲେ ଦଶ ହଜାର ଓ ମଦ୍ୟ ପାନ କରିଥିବା ବ୍ୟକ୍ତି ଧରା ପଡିଲେ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବା ସହ ମଦ କାରବାର ସହ ସଂପୃକ୍ତ ବ୍ୟକ୍ତିଙ୍କୁ ପଞ୍ଚାୟତର ସବୁ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ । ଏହା ଦ୍ୱାରା ଅଞ୍ଚଳରେ ନିଶା କାରବାରକୁ ରୋକ ଲଗାଯାଇ ପାରିବ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ସହଯୋଗ ମଧ୍ୟ ଆଶା କରିଛନ୍ତି । ଏନେଇ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହିଳା ଓ ଯୁବକ ସଂଘ ଜୋରିମାନା ଅଦାୟକୁ ମାଫିଆ ଓ ମଦ୍ୟପ ସହଯୋଗ କରିବେ ତ ? ପ୍ରଶାସନ ବୈଠକର ଏହି ନିଷ୍ପତ୍ତିକୁ ସହଯୋଗ ଦେବ ତ ? ଅଞ୍ଚଳରେ ଏହାକୁ ନେଇ ଆଇନ ଶୃଙ୍ଖଳା ସୃଷ୍ଟି ହେବ ନାହିଁ ତ ? କିନ୍ତୁ ଅନ୍ୟ ପକ୍ଷରେ ଅତୀଷ୍ଟ ଅଞ୍ଚଳ ବାସୀ ଏହାକୁ ସ୍ୱାଗତ କରିଛନ୍ତି । ପ୍ରଶାସନର ସହଯୋଗ ଓ କର୍ତ୍ତବ୍ୟ ନିଷ୍ଠା ଉପରେ ଅଞ୍ଚଳର ଶାନ୍ତି ନିର୍ଭର କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.