ବୋଲଗଡ଼, ୦୧/୧୧ (ପିପିଟି): ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସୀମାନ୍ତ ସହର ତଥା ସଂସ୍କୃତିର ଏନ୍ତୁଡ଼ିଶାଳ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣୀ ମଣ୍ଡପ ସଭାଗୃହରେ ବର୍ଣ୍ଣାଢ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରାଜ୍ୟସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଉତ୍କଳୀୟମ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ସାମ୍ବାଦିକ, ସମାଜସେବୀ, ସରପଞ୍ଚ, ପୋଲିସ ଓ କୁନି କୁନି ନୃତ୍ୟ ଶିଳ୍ପୀମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର ଯୋଗଦେଇ ଥିଲେ।
ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ, ଯୁବ ସମାଜସେବୀ ବାସୁଦେବ ସାହୁ, ଶିକ୍ଷାବିତ୍ ସଦାଶିବ ସାହୁ, ସମାଜସେବୀ ସୁରେଶ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ ଏବଂ ଉତ୍କଳୀୟମ୍ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ସଭାକାର୍ଯ୍ୟକୁ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ଅତି ଚମତ୍କାର ଭାବେ ପରିଚାଳନା କରିଥିବା ବେଳେ, ଶିକ୍ଷାବିତ୍ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ।ଓଡ଼ିଶାର ବିକାଶରେ ବୁଦ୍ଧିଜୀବୀ ସମାଜର ଭୂମିକା ଓ ସନ୍ଥ ଭକ୍ତଚରଣଙ୍କ ତ୍ୟାଗ ଓ ସାଧନା ଉପରେ ମୁଖ୍ୟ ବକ୍ତା ସାରଗର୍ଭ ଆଲୋଚନା କରିଥିଲେ।
ମୁଖ୍ୟ ଅତିଥି ଇଂ. ଦେବାଶିଷ ପଟ୍ଟନାୟକ କହିଥିଲେ, “ଉତ୍କଳୀୟମ୍ ଫାଉଣ୍ଡେସନ ଆଜି କେବଳ ଓଡ଼ିଶାରେ ସୀମିତ ନୁହେଁ। ୨୦୧୪ ମସିହାରୁ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା ପାଇଁ ଏହା ସମଗ୍ର ଭାରତର ୧୧ଟି ରାଜ୍ୟରେ କାର୍ଯ୍ୟ କରି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି।”
ଏହି ଅବସରରେ ଦିଲ୍ଲୀପ କୁମାର ସାହୁ, ପ୍ରମୋଦ କୁମାର ସେଠୀ, ଉମାକାନ୍ତ ରଣସିଂହ, ଭଗବାନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ଓ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।