ମାଲକାନଗିରି,୦୧/୧୧(ପିପିଟି): ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପଡ଼ୋଶୀ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-୩୬ ଗାଁରେ ଘଟିଛି ଏପରି ଏକ ଅଭାବନିୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ଏପରି ଭୟାବହ ହତ୍ୟାକାଣ୍ଡ । ଆଜି ଭୋର ପ୍ରାୟ ୩ ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ୧୨ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛି । ହତ୍ୟାକାରି ବିଶଙ୍କର ମଣ୍ଡଳ ପୋଡଶି ଘରର ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ରବିନ୍ଦ୍ର ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ପୁଅ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ ରବିନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ମୃତ୍ଯୁ ହୋଇଥିବା ବେଳେ ଗୁରୁତର ପୁଅକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ବିଶଙ୍କର ମଣ୍ଡଳ ପଡ଼ୋଶୀ ବୋଲି ଜଣାପଡ଼ିଛି । ହତ୍ୟା କାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ଓର୍କେଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଓର୍କେଲ ପୋଲିସ ତାକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋ । ଅନ୍ୟପଟେ କୋରାପୁଟ ରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନଭିନ କରିବ ବୋଲି ଜଣା ପଡ଼ିଛି। ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)