ବନ କର୍ମଚାରୀମାନଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ।

0 228

ମାଲକାନଗିରି,୦୧/୧୦(ପିପିଟି): ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଏମ୍‌ଭି-୫୩ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ରେ ସୋମନାଥପୁର ସେକ୍ସନ୍ ଅଧୀନ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଏହି ବଜ୍ରକାପ୍ତାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ଭି-୫୩ ଗ୍ରାମର ବାସିନ୍ଦା ରବି ରାୟ ନିଜ ଘର ବାରିପଟେ କୁକୁର ଦୀର୍ଘ ସମୟ ଧରି ଭୁକୁଥିବା ଦେଖି ସେଠାକୁ ଯାଇଥିଲେ। ଏହି ସମୟରେ ସେ ଏକ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘର ପଛପଟେ ଜଙ୍ଗଲ ଥିବାରୁ ବଜ୍ରକାପ୍ତାଟି ବାଟବଣା ହୋଇ ଗାଁ ଅଞ୍ଚଳକୁ ଆସିଥାଇପାରେ ବୋଲି ରବି ରାୟ କହିଛନ୍ତି।ଖବର ପାଇବା ପରେ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ଗାଁରେ ପହଞ୍ଚି ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବର୍ତ୍ତମାନ ଏହାକୁ ଚିକିତ୍ସା ନିରୀକ୍ଷଣରେ ରଖାଯାଇଛି। ସମ୍ପୂର୍ଣ୍ଣ ସୁସ୍ଥ ଓ ମୁକ୍ତି ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ ହେବା ପରେ ବନ ବିଭାଗର ନିୟମାନୁସାରେ ଏହାକୁ ପୁଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ।ବାଲିମେଳା ରେଞ୍ଜର ଲିସମିତା କହଁର କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସ୍ଥାନ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯିବ। ସେଠାରେ ଆଉ କୌଣସି ବଜ୍ରକାପ୍ତା ଥିବା ସମ୍ଭାବନା ଥିଲେ ତାହା ଜଣାପଡ଼ିପାରେ ବୋଲି ସେ କହିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.