ଛତ୍ରପୁର,୧୭/୦୯(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଅଭିଯାନର ଶୁଭାରମ୍ଭ ହୋଇଥିଲା ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜନପ୍ରତିନିଧି, ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ । ଏହି ଅବସରରେ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କୁ ନେଇ ୭୬ ମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଅଭିଯାନର ଅନ୍ୟତମ ଅଂଶ ଭାବେ ସନ୍ଧ୍ୟାରେ ସମଗ୍ର ଜିଲ୍ଲାରେ ‘ସେବା ସଂକଳ୍ପ ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ମନ୍ଦିର, ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଆକର୍ଷଣୀୟ ରଙ୍ଗୋଲି ସଜାଇ ଦୀପ ପ୍ରଜ୍ୱଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମସ୍ତରୀୟ ସଂଘ, କ୍ଲଷ୍ଟରସ୍ତରୀୟ ସଂଘର ମହିଳା ସଦସ୍ୟମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସେମାନେ ନିଜ ନିଜ ଘରର ଦ୍ୱାରଦେଶରେ ଦୀପ ପ୍ରଜ୍ୱଳନ କରିଥିଲେ ।
ଏହି ଅଭିଯାନ ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ ଦେଶ ଓ ସମାଜ ଗଠନ, ଜନସେବା ପ୍ରତି ନିରନ୍ତର ସମର୍ପଣ ଏବଂ ସାମାଜିକ ଏକତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା । ସମଗ୍ର ଗଞ୍ଜାମ ଜିଲ୍ଲାରେ ଜନସହଭାଗିତାରେ ବିଭିନ୍ନ ସେବାମୂଳକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସହ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପାଳନ କରାଯାଉଛି ।