ଦିନରେ ଲଣ୍ଠନ ଧରି ଖୋଜିଲେ ବି ମିଳୁନି ସଚ୍ଚୋଟ ନେତା।

0 0

ବୋଲଗଡ଼, ୦୮/୦୯ (ପିପିଟି):ଜଣେ ପାଠକ ଆଜି ସକାଳେ ଫୋନ୍ କରି କହିଲେ – “ଦିନରେ ଲଣ୍ଠନ ଧରି ଖୋଜିଲେ ବି ସଚ୍ଚୋଟ ନେତା ମିଳୁନି।” ସେ ଆହୁରି କହିଲେ – “ବର୍ତ୍ତମାନ ରାଜନୀତିରେ ସଚ୍ଚୋଟ ନେତା ଖୋଜିବା ବେଶ୍ୟାଳୟରେ ସତୀ ଖୋଜିବା ସହ ସମାନ।”

କଥା ଶୁଣିବାକୁ ଅତି କଟୁ ଓ ରୂଢ ଲାଗିପାରେ, ହେଲେ ଏହା ହିଁ ଆଜିର ନିର୍ମମ ବାସ୍ତବତା। “ଦିନରେ ଲଣ୍ଠନ ଧରି ଖୋଜିବା” ର ଅର୍ଥ ହେଲା ଅସମ୍ଭବକୁ ସମ୍ଭବ କରିବାକୁ ଚେଷ୍ଟା କରିବା। ଗ୍ରୀକ୍ ର ଦାର୍ଶନିକ ଡାୟୋଜେନିସ୍ ଦିନରେ ଲଣ୍ଠନ ଧରି ସଚ୍ଚୋଟ ମଣିଷ ଖୋଜୁଥିଲେ। ଆଜି ସେମିତି ଗାଁର ସାଧାରଣ ଲୋକ ଲଣ୍ଠନ ଧରି ସଚ୍ଚୋଟ ନେତା ଖୋଜୁଛନ୍ତି।

ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏଁ ସମାନ ଚିତ୍ର ଆଜି ଯେଉଁଠି ଦେଖିବେ ସେଇଠି ସମାନ ଚିତ୍ର। ସରକାରୀ ଯୋଜନାରେ ୪୦% କମିଶନ, ଠିକାରେ ପିସି, ଚାକିରୀରେ ପାଉଣା ଭାଗ, ଆଉ କୁର୍ସୀ ପାଇଁ ସକାଳେ ଏ ଦଳ, ସନ୍ଧ୍ୟାରେ ସେ ଦଳ। ଅଧିକାଂଶ ନେତା ଜନସେବାକୁ ବ୍ୟବସାୟ କରି ଦେଇଛନ୍ତି।

ନିର୍ବାଚନ ବେଳେ ମାଳ ମାଳ ପ୍ରତିଶ୍ରୁତି – ରାସ୍ତା ହେବ, ପାଣି ଆସିବ, ଚାକିରୀ ମିଳିବ। ଜିତିଲା ପରେ ସେ ନେତା ଭୁବନେଶ୍ୱର କି ଦିଲ୍ଲୀର ବଙ୍ଗଳାରେ। ଗାଁ ଲୋକ ପୁଣି ସେଇ ଭଙ୍ଗା ରାସ୍ତା, ବନ୍ଦ ନଳକୂପ ପାଖରେ ଅପେକ୍ଷାରତ।

ପାଠକ ବନ୍ଧୁ କହିବା ଅନୁଯାୟୀ ଯଦି ଜଣେ ସାଧାରଣ ଗାଁ ଲୋକ ଦିନରେ ଲଣ୍ଠନ ଧରି ନେତା ଖୋଜେ, ତେବେ ସେ କ’ଣ ଦେଖିବ ? ସାମ୍ନାରେ ଥିବା ନେତାଙ୍କ ଚାରିପଟେ କେବଳ ଟଙ୍କା ଭର୍ତ୍ତି ବସ୍ତା। କେଉଁଠି “ଲାଞ୍ଚ”, କେଉଁଠି “ଚାଉଳ ଚୋରି”, “ବାଲି ଚୋରି”। ପାଖରେ ନ୍ୟାୟର ତରାଜୁ ଭାଙ୍ଗି ତଳେ ପଡିଛି, ସରକାରୀ କାଗଜପତ୍ର ହାୱାରେ ଉଡୁଛି। ଏହା ହିଁ ଆଜିର ରାଜନୀତିର ପ୍ରତିଛବି।

ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଗଣତନ୍ତ୍ରରେ ଭୋଟ ହେଉଛି ସବୁଠୁ ବଡ଼ ଅସ୍ତ୍ର। ଯଦି ଆମେ ଭୋଟ ବେଳେ ସଚେତନ ନ ହେବା, ପାଞ୍ଚ ବର୍ଷ ଅନ୍ଧାରରେ ରହିବାକୁ ପଡିବ। ତେଣୁ ଲଣ୍ଠନ ଧରି ଖୋଜିବା ଆଗରୁ ନିଜ ଭିତରେ ବିବେକର ଆଲୁଅ ଜଳାଇବା ଆବଶ୍ୟକ।

ରିପୋର୍ଟ: ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.