ରାସ୍ତା କଡ଼ରୁ ଶିଶୁପୁତ୍ର ଉଦ୍ଧାର: ବୁଲା କୁକୁର ଦେଲେ ସୁରକ୍ଷା ।

0 0

ଭଞ୍ଜନଗର, ୨୦/୦୭(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁପୁତ୍ରକୁ ଗ୍ରାମବାସୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଯୋଗ୍ୟ, ଆଜି ଅପରାହ୍ନରେ କେହି ଅଜଣା ବ୍ୟକ୍ତି ଶିଶୁ ପୁତ୍ରଟିକୁ ଆଣି ପେଟ୍ରୋଲ ପମ୍ପ ନିକଟରେ ଛାଡ଼ି ଚାଲି ଯାଇଥିଲେ। ହେଲେ ଛୋଟ ଛୁଆଟି କାନ୍ଦୁଥିବା ବେଳେ ସେଠାରେ ବୁଲୁଥିବା କିଛି କୁକୁର ପହଞ୍ଚି ଜୋରରେ ଭୁକିବାରେ ଲାଗିଲେ। କୁକୁର ଯାକ କାହିଁକି ଭୁକୁଛନ୍ତି ବୋଲି ସେହି ରାସ୍ତାରେ ଯାଉଥିବା ଜଣେ ମହିଳା ସେହି ସ୍ଥାନକୁ ଦେଖିବାକୁ ଯାଇଥିଲେ। ମହିଳା ଜଣକ ସେଠାରେ ଛୋଟ ଶିଶୁଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ଚିକିତ୍ସା ସମୟରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ହେଲେ କିଏ ଓ କାହିଁକି ଏଭଳି ଘୃଣ୍ୟ କାର୍ଯ୍ୟ କରିଛି, ତାହା ଜଣା ପଡ଼ିନାହିଁ । କୌଣସି ମହିଳା ଅବୈଧ ସନ୍ତାନ ଜନ୍ମ କରିବା ପରେ ଲୋକ ଲଜ୍ୟାରୁ ରକ୍ଷା ପାଇବା ପାଇଁ ଛୁଆଟିକୁ ନେଇ ରାସ୍ତା କଡ଼ରେ ଛାଡି ଦେଇ ଚାଲି ଯାଇ ଥିବା ଅନୁମାନ କରାଯାଉଛି ।

ରିପୋର୍ଟ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.