ବେଗୁନିଆପଡା,୧୬/୦୭(ପିପିଟି):ଆଜି ପବିତ୍ର ରଥଯାତ୍ରା , ଭକ୍ତଙ୍କୁ ଭେଟିବା ପାଇଁ ଆଜି ନିଜେ ବିଶ୍ୱ ନିୟନ୍ତା ପରମ ବ୍ରହ୍ମ ଜଗତର ନାଥ ଜଗନ୍ନାଥ ନିଜର ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଙ୍କୁ ନେଇ ବାହାରିଛନ୍ତି । ଆଜି ସମଗ୍ର ଭାରତ ବର୍ଷରେ ରଥଯାତ୍ରା ପାଳିତ ହେଉଥିବା ବେଳେ କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକର ମଧ୍ୟ ବିଭିନ୍ନ ସ୍ଥାନରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଦଳାରେ ଢେର ଭକ୍ତଙ୍କ ସମାଗମ ଭିତରେ ମନ୍ଦିର ସେବାୟତ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ଶେଷକରି ପହଣ୍ଡି ବିଜେ କରିବା ସହିତ ରଥ ଉପରକୁ ବିରାଜ ମାନ କରିଥିଲେ ମହାପ୍ରଭୁ ଜଗନ୍ନାଥ । ପୋଲିସ ପ୍ରଶାସନ ଓ ଭକ୍ତଙ୍କ ଦ୍ୱାରା ରଥଟଣା ଯାଇ ଅସ୍ଥାୟୀ ମାଉସୀ ମା ମନ୍ଦିର କୁ ପହଞ୍ଚିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ରଥଟଣା ପୂର୍ବରୁ ଉତ୍ସାହି ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଆଧ୍ୟାତ୍ମିକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥୁବା ବେଳେ କୋଦଳା ଭାଇଗାସାହି ଏବଂ ବେଗୁନିଆପଡା ବ୍ଲକର ସୁମଣ୍ଡଳ, ଶାଙ୍କୁଡା,କେ ବରିଡା, ମଠ ବରିଡା,ତାଳସର, ଷଣ୍ଢମୂଳ, ମଠ ସରସିଂ, ବେଗୁନିଆ ପଡା ସମେତ ଅନ୍ୟାନ୍ୟ ସ୍ଥାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ଛେରା ପହଁରା ସାଙ୍ଗକୁ ପହଣ୍ଡି ବିଜେ କରାଯାଇଥିଲା । ସନ୍ଧ୍ୟା ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସବୁ ସ୍ଥାନରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଦଳା ଓ ବେଗୁନିଆପଡା ପୋଲିସ ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ୍ ସୂର୍ଯ୍ୟ ନାରାୟଣ ବଡୁ