ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ ।

0 71

ମାଲକାନଗିରି,୨୮/୦୬(ପିପିଟି):ମାଲକାନଗିରି ପୋଲିସ ଜିଲ୍ଲା ସ୍ବେଚ୍ଛାସେବୀ ବାହିନୀ (ଡିଭିଏଫ୍) ଟିମ୍ ଆଜି ସକାଳେ କାଲିମେଲା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗୁଣ୍ଠାବାଡା ଏବଂ କଦମଗୁଡାର ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ପ୍ରମୁଖ ମାଓବାଦୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳତା ଅର୍ଜନ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ସୂଚନା ପାଇ ମାଲକାନଗିରି ଡିଭିଏଫ ପୋଲିସ ବାହିନୀ ମାଓ ଡମ୍ପ କୁ ଚିହ୍ନଟ କରିଥିଲେ।ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାର ଡଙ୍କରାଇ ପୋଲିସ୍ ଷ୍ଟେସନ ସୀମାରେ ଆଜି ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଡମ୍ପିଂ କରାଯାଇଥିବା ସମସ୍ତ ମାଓ ସାମଗ୍ରୀ ଗୁଡ଼ିକୁ ଜବତ କରାଯାଇଛି । ଡମ୍ପରୁ ଜବତ ହୋଇଥିବା ବିସ୍ଫୋରଣ ସାମଗ୍ରୀ ମଧ୍ୟରେ ୨ଟି SLR ବନ୍ଧୁକ, ୨ଟି ହାତ ତିଆରି ପିସ୍ତଲ, ଗୋଟିଏ ଆମେରିକା ନିର୍ମିତ ପିସ୍ତଲ, ଗୋଟିଏ ୩୦୩ ବନ୍ଧୁକ ବ୍ୟାରେଲ, ୫କିଲୋ ଓ ୨କିଲୋଗ୍ରାମର ଆଇଇଡି, କ୍ଲେମୋର ମାଇନ୍ ଏବଂ ୪ଟି ବିଜିଏଲ ସେଲ, ୭ଟି ୱାକିଟକି, ୩ଟି ଚାର୍ଜର, ୩ଟି ବ୍ୟାଟେରୀ ଏବଂ ୨ଟି ଆଣ୍ଟିନା, ୪୫ଟି ପେନଡ୍ରାଇଭ, ଗୋଟିଏ ହାର୍ଡଡିସ୍କ, ଗୋଟିଏ ପାୱାର ବ୍ୟାଙ୍କ ଏବଂ ଗୋଟିଏ କି-ବୋର୍ଡ ରହିଛି । ଏଥିସହିତ ୫ଟି କାର୍ଟିଜ, ୪ ମିଟର ଏମସିପି ସୁଇଚ୍ ତାର, ମୋଟରସାଇକେଲ ବ୍ୟାଟେରୀ, ମାଓ ପୋଷାକ ଏବଂ ମେଡିସିନ୍ କିଟ୍ ସହ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି।
। ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବା ପାଇଁ ଏହା ଗଚ୍ଛିତ ରଖାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ଏହି କ୍ୟାର୍ଯ୍ଯ ମାଓବାଦୀଙ୍କ (ଆନ୍ଧ୍ର-ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟି) କ୍ୟାଡ଼ର ଙ୍କ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେବା ଲକ୍ଷ୍ୟ ହାସଲ କରିଛି। ଜାନୁୟାରୀ ୨୦୨୫ ରୁ ମାର୍ଚ୍ଚ ୩୧, ୨୦୨୬ ମଧ୍ୟରେ ଦୁଇଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା ଏବଂ ୨୩ ଜଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହା ହେଉଛି ଚଳିତ ମାସରେ ଜିଲ୍ଲାରେ ଉଦ୍ଧାର ହୋଇଥିବା ତୃତୀୟ ପ୍ରମୁଖ ମାଓବାଦୀ ଡମ୍ପ। ଜୁନ୍ ୯, ୨୦୨୬ ରେ, ମାଥିଲି ଥାନା ସୀମା ଅନ୍ତର୍ଗତ କିର୍ମିଟି ଏବଂ କାଟୁଆପଦର ଜଙ୍ଗଲରେ ସୁରକ୍ଷା ବାହିନୀ ଗୋଟିଏ ଇନସାସ,ଏଲଏମଜି ଦୁଇଟି, ଇନସାସ ରାଇଫଲ, ଆଇଡି, ଗ୍ରେନେଡ, ଡିଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲେ । ଜୁନ୍ ୧୫ ରେ, ପଡିଆ ଥାନା ସୀମା ଅନ୍ତର୍ଗତ ସିଲାକୋଟା, ପେରୱାଇ ଏବଂ କେସ୍କାଗୁଡା ଜଙ୍ଗଲରେ ହୋଇଥିବା ଅନ୍ୟ ଏକ ଅପରେସନ୍ ତିନୋଟି ଷ୍ଟେନ୍ କାର୍ବାଇନ୍ ବନ୍ଧୁକ, ଗୋଟିଏ ଏସବିଏମ୍ଏଲ୍ ବନ୍ଧୁକ, ପିସ୍ତଲ, ଆଇଇଡି, ୟୁବିଜିଏଲ୍ ଗ୍ରେନେଡ୍, ୱେଲଡିଂ ମେସିନ୍ ଏବଂ ଅନ୍ୟାନ୍ୟ ମାଓବାଦୀ ଆର୍ଟିକିଲ୍ ଜବତ କରାଯାଇଛି। ଭବିଷ୍ୟତରେ ନକ୍ସଲ କାର୍ଯ୍ୟକଳାପର କୌଣସି ସମ୍ଭାବ୍ୟ ପୁନରୁଦ୍ଧାରକୁ ରୋକିବାକୁ ଲକ୍ଷ୍ୟ ରଖି ଲୁଚି ରହିଥିବା ମାଓବାଦୀଙ୍କୁ ତଲାସ କରାଯାଇ ସଂପୂର୍ଣ୍ଣ ଅଞ୍ଚଳକୁ ମାଓ ମୁକ୍ତ କରାଯିବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.