ଭଞ୍ଜନଗର, ୨୨/୦୫(ପିପିଟି ):ଦୀର୍ଘଦିନ ପରେ ପୁଣି ବୋମାମାଡ଼ କୁ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଛାଞ୍ଚଲ୍ୟ।ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ପୋୖରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି।ଏଥିରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ବୋମା ମାଡର କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି।ସୂଚନା ମୁତାବକ ଗତ କାଲି ରାତି ଠିକ ୧୧ଟା ୪୧ ମିନିଟ ସମୟରେ ଦୁଇଜଣ ଦୁର୍ବୁତ୍ତ ଏକ ହୋଣ୍ଡା ବାଇକରେ ଆସି ଦୀନବନ୍ଧୁ ବେହେରା ଗାର୍ଲସ ହାଇସ୍କୁଲ କଡରେ ରହି ପଛରେ ବସିଥିବା ହେଲମେଟ ପିନ୍ଧା ଜଣେ ଯୁବକ ପ୍ରାୟ ୪୦ମିଟର ଦୂରରୁ ଗୋଟିଏ ବୋମା ଫୋପାଡ଼ି ଥିବା ଜଣାପଡିଛି। ପୋୖରାଧ୍ୟକ୍ଷ ଶ୍ରୀ ମହାପାତ୍ର ଘରେ ନ ଥିବା ବେଳେ ଘରେ ଥିବା ଅନ୍ୟ ସଦସ୍ୟମାନେ ବିସ୍ଫୋରଣ ଶବ୍ଦ ଶୁଣି ଭୟଭୀତ ହୋଇ ପଡ଼ିଥିଲେ।ଠାକୁରାଣୀ ଯାତ୍ରା ଶେଷ ହେବା ପରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି।ଘଟଣା ସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି।ଅପରାଧୀଙ୍କ ସମ୍ପର୍କରେ କିଛିଟା ସୂଚନା ମିଳିଛି, ଯାହା ଫଳରେ ସେମାନଙ୍କୁ ଅତିଶୀଘ୍ର ଧରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ