୧୦୫୦ ସରକାରୀ ବିଦ୍ୟାଳୟ ପାଇବେ ନିଜସ୍ୱ ଜମି ପଟ୍ଟା ।

0 71

ମାଲକାନଗିରି, ୨୮/୦୪(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସୂଚିନ୍ତିତ ନିର୍ଦ୍ଦେଶ କ୍ରମେ ଆଜି ଏଫଏଲସି ହଲ ପରିସରରେ ଏକ ବିଶାଳ ବିଦ୍ୟାଳୟ ଜମିପଟ୍ଟା ମେଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ସହକାରୀ ବନ ଅଧିକାରୀ ମନସୁନ୍ ଖେମୁଣ୍ଡୁ ଉପସ୍ଥିତ ଥିଲେ। ଏହି ଶିବିରରେ ଜିଲ୍ଲାର ୧୦୫୦ଟି ସରକାରୀ ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରିବା ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାରେ ଥିବା ମୋଟ ୧୨୪୨ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ଅନୁଷ୍ଠାନର ନିଜସ୍ୱ ପଟ୍ଟା ନଥିବାରୁ ଅତିରିକ୍ତ ଶ୍ରେଣୀଗୃହ, ଶୌଚାଳୟ, ଏବଂ ପାଚେରୀ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ରହିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଫୋରମ ଗଠନ କରି ରାଜସ୍ୱ, ତହସିଲ, ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ କାଗଜପତ୍ର ଯାଞ୍ଚ କଲେ। ତହସିଲକୁ ୬୪୭ ବିଦ୍ୟାଳୟ ଏବଂ ବନ ବିଭାଗକୁ ୩୦୪ ବିଦ୍ୟାଳୟ ପଟ୍ଟା ପାଇଁ ଯାହା ଆବେଦନ କରିଥିଲେ ତାହାର ସମୟସୀମା ମଧ୍ୟରେ ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକର ଜମି ଚିହ୍ନଟ, ମାପଚୁପ ଓ ପଟ୍ଟା ପ୍ରଦାନ ପ୍ରକ୍ରିୟା ଅତିଶୀଘ୍ର ଶେଷ କରିବାକୁ ଉପ ଜିଲ୍ଲାପାଳ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଯଥାଶୀଘ୍ର ଜମି ପଟ୍ଟା ଦେବାକୁ ଗୁରୁତ୍ୱ ଦିଆଗଲା ।ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧୀନରେ ଥିବା ୨୫ଟି ଆଶ୍ରମ ବିଦ୍ୟାଳୟ ପାଇଁ ମଧ୍ୟ ଆବେଦନ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ, ଜଙ୍ଗଲ ଜମିରେ ଅବସ୍ଥିତ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଶିକ୍ଷା ବିଭାଗର ୩୦୪ଟି ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୧୩ଟି ଆଶ୍ରମ ବିଦ୍ୟାଳୟ ପାଇଁ ସମ୍ପୃକ୍ତ ବନ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇଛି।ବିଭିନ୍ନ ତହସିଲ ଏବଂ ବନ ବିଭାଗ କାର୍ଯ୍ୟାଳୟରେ ଏହି ପଟ୍ଟା ପ୍ରଦାନ ପ୍ରକ୍ରିୟା କେଉଁ କାରଣରୁ ବାକି ରହିଛି, ସେ ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା କରାଯାଇଛି।ଏଥିରେ ଆବଶ୍ୟକୀୟ ଫର୍ମ, ଦଲିଲ ସଂଗ୍ରହ ଏବଂ ଗ୍ରାମସଭା ନିର୍ଦ୍ଧାରଣ ଭଳି ପ୍ରକ୍ରିୟାଗୁଡ଼ିକୁ ଆପୋଷ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ କୌଣସି ବିଦ୍ୟାଳୟ କେବଳ ଜମି ପଟ୍ଟା ଅଭାବରୁ ବିକାଶରୁ ବଞ୍ଚିତ ହେବ ନାହିଁ। ପ୍ରଶାସନ ଓ ଶିକ୍ଷା ବିଭାଗ ମିଶି ମିଶନ ମୋଡରେ କାମ କରିବ। ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ମାଲକାନଗିରି ପରି ଏକ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସଦୃଶ ହେବ। ବିଦ୍ୟାଳୟ ଗୁଡ଼ିକର ନିଜସ୍ୱ ଜମି ପଟ୍ଟା ରହିଲେ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହୋଇପାରିବ, ଯାହା ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଏକ ସୁରକ୍ଷିତ ଓ ଆଧୁନିକ ପାଠପଢ଼ା ପରିବେଶ ପ୍ରଦାନ କରିବ। ଜିଲ୍ଲାପାଳଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଜିଲ୍ଲା ପ୍ରଶାସନକୁ ଉଚ୍ଚ ପ୍ରଶଂସା କରାଯାଉଛି। ପ୍ରଶାସନର ଏହି ମିଶନ ମୋଡ୍ କାର୍ଯ୍ୟଶୈଳୀ ଶିକ୍ଷା କ୍ଷେତ୍ରରେ ଥିବା ପ୍ରଶାସନିକ ବାଧାବିଘ୍ନକୁ ଦୂର କରିବାରେ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛି। ଅନ୍ୟ ମାନଙ୍କ ମଧ୍ଯରେ ସମସ୍ତ ତହସିଲଦାର ଏବଂ ବ୍ଲକ୍ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.