ସଂସ୍କୃତି ଭବନରେ ଓଡ଼ିଆ ପକ୍ଷ ଓ ନବ ବର୍ଷ ପାଳିତ ।

0 187

ମାଲକାନଗିରି,୧୪/୦୪(ପିପିଟି):ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା ପକ୍ଷର ଉଦଯାପନୀ ଉତ୍ସବ ସହ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଏବଂ ସିଡ଼ିପିଓ ରେଖା ଶୋଭା ସୁନ୍ଦର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ପକ୍ଷ ପାଳନର ମୂଳ ଲକ୍ଷ୍ୟ ହେଉଛି ମାତୃଭାଷାର ପ୍ରସାର ଓ ବ୍ୟବହାରକୁ ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା।ଏହି ଅବସରରେ ଉପ-ଜିଲ୍ଲାପାଳ କହିଥିଲେ ଯେ, ଓଡ଼ିଆ ଭାଷା ଆମର ସ୍ୱାଭିମାନ ଓ ପରିଚୟ। ଆମ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ମାତୃଭାଷାର ବ୍ୟବହାର ଅପରିହାର୍ଯ୍ୟ।ସେହିପରି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ କହିଥିଲେ, ଭାଷା ସହ ଆମର ଖାଦ୍ୟଶୈଳୀ ମଧ୍ୟ ସଂସ୍କୃତିର ଅଭିନ୍ନ ଅଙ୍ଗ। ‘ଇଟ୍ ରାଇଟ୍’ ଅଭିଯାନ ମାଧ୍ୟମରେ ସୁସ୍ଥ ଖାଦ୍ୟ ପ୍ରତି ସଚେତନତା ସୃଷ୍ଟି କରି ଆମେ ଏକ ସୁସ୍ଥ ଓଡ଼ିଶା ଗଠନ କରିପାରିବା।ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରଧାନ ମାତୃଭାଷା ମାଧ୍ୟମରେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବିଶେଷ ଦିବସରେ ଇଟ୍ ରାଇଟ୍ କାର୍ଯ୍ୟକ୍ରମ ପାଇଁ ଆହାର କେନ୍ଦ୍ରରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ଠାରୁ ମାନପତ୍ର ମିଳିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆୟୋଜିତ ଝୋଟି, ପିଠାପଣା ଏବଂ ହୁଳହୁଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବକୁ ଜିଲ୍ଲା ସଂସ୍କୃତି ବିଭାଗ ଓ ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ମାଆ ମାନେ ସାମିଲ ହୋଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.