ମାଲକାନଗିରି ,୦୮/୦୨(ପିପିଟି) :ଦୁଇ ଦିନ ତଳେ ନିଖୋଜ ହୋଇଥିବା ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ଆଜି ଏକ ବୃକ୍ଷ ଶାଖା ରେ ଝୁଲନ୍ତା ଅବସ୍ଥାରେ ଦେଖବାକୁ ମିଳିଛି । ମୃତ ଛାତ୍ରୀ ଦୁଇ ଜଣ ହେଲେ ଏମଭି- ୭୨ ଗ୍ରାମର ଜ୍ୟୋତି ହାଲଦାର (୧୨) ଏବଂ ଏମଭି- ୧୨୬ ଗ୍ରାମର ମନ୍ଦିରା ସୋଡି (୧୩)। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମ ହତ୍ୟା କି ହତ୍ୟା ସନ୍ଦେହ ଘେର ରେ ରହିଛି।
ଘଟଣା ରୁ ପ୍ରକାଶ ଯେ ଏମଭି – ୭୨ ଗ୍ରାମର ତିମିର ହାଲଦାରଙ୍କ ଝିଅ ଜ୍ୟୋତି ହାଲଦାର ଓ ଏମଭି- ୧୨୬ ଗ୍ରାମର ୱାଗା ସୋଡିଙ୍କ ଝିଅ ମନ୍ଦିରା ସୋଡି ଗତ ଗୁରୁବାର ଦିନ ଏମଭି- ୭୨ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକମାନେ ଏ ସଂପର୍କ ରେ ଏମଭି – ୭୯ ଥାନାରେ ଦୁଇ ଝିଅଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ସକାଳେ ବିଦ୍ୟାଳୟ ଠାରୁ ପ୍ରାୟ ୩କିଲୋମିଟର ଦୂର ଏମପିଭି-୪୧ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ ଆମ୍ବ ଗଛରେ ଦୁଇଜଣ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ସେହି ଗ୍ରାମ ର ଲୋକମାନେ ଦେଖି ଥିଲେ ।ଫଳରେ ଏ ସଂପର୍କରେ ଏମଭି- ୭୯ ଥାନା ପୁଲିସ କୁ ଖବର ଜଣାଇ ଥିଲେ। ତେବେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଦୁଇ ଛାତ୍ରୀଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ଠାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କୁହାଯାଇଛି। ତେବେ କାହିଁକି ୨
ଜଣ କୋମଳମତି ଛାତ୍ରୀ ଆତ୍ମହତ୍ୟା କଲେ ଏହା ସନ୍ଦେହକୁ ଘନିଭୂତ କରିଛି।ଏହା ଆତ୍ମହତ୍ୟା ନା ହତ୍ଯା କରାଯାଇଛି ତଦନ୍ତ କଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରିବ ?
ଦିନକୁ ଦିନ ଛୋଟ ବୟସରୁ ପିଲାମାନେ ଆତ୍ମ ହତ୍ୟା କରୁଛନ୍ତି, ମାଲକାନଗିରି ଜିଲ୍ଲା ପାଇଁ ଉଦବେଗ ବିଷୟ ବୋଲି ଚର୍ଚ୍ଚା ହୋଉଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)