ମୌଳିକ ସୁବିଧାରୁ ବଞ୍ଚିତ ଡଡିଗୁଡା ବାସିନ୍ଦା ,ଭୋଟ ବର୍ଜନ ପାଇଁ ଚେତାବନୀ ।

0 265

ମାଲକାନଗିରି ,୨୨/୦୪(ପିପିଟି) :ଗାଁ କୁ ରାସ୍ତା ନାହିଁ। ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ହାତକୁ କାମ ନାହିଁ। ଆଉ ବିଦ୍ୟାଳୟରେ ପାଚେରୀ ନାହିଁ। ନାହିଁ ନାହିଁ ର ଆଦିବାସୀ ଗାଁ ଡଡିଗୁଡା । କହିବାକୁ ଗଲେ ନିର୍ବାଚନ ଆସୁଛି ଏବଂ ଯାଉଛି। ନେତା ଭୋଟ ସମୟରେ ଆସନ୍ତି ଏବଂ ପାହାଡ ପାହାଡ ପ୍ରତିଶ୍ରୁତିରେ ଲୋକକୁ ବିମୋହିତ କରନ୍ତି। କିନ୍ତୁ ଭୋଟ ସରିଗଲା ପରେ ପ୍ରତିଶ୍ରୁତି ଅଟକି ଯାଏ କେଉଁଠି ଗାଁ ଲୋକମାନେ ବୁଝିପାରନ୍ତି ନାହିଁ।ବର୍ଷ ବର୍ଷ ମୌଳିକ ସମସ୍ୟା ଘେରରେ ଯୁଝୁଛନ୍ତି ଗାଁ ଲୋକମାନେ। ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି ଭୋଟ ବର୍ଜ୍ଜନ କରିବେ।
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତର ଡଡିଗୁଡା ଗ୍ରାମବାସୀ । ବାରମ୍ବାର ଦାବି ସତ୍ୱେ ସେମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗରେ ଚରମ ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ । ଏଥର ଗାଁ ର ମୌଳିକ ସମସ୍ୟର ସମାଧାନ ନାହିଁ ତ ନିର୍ବାଚନରେ ଭୋଟ ନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।
ଏହି ଗାଁରେ ବସବାସ କରୁଛନ୍ତି ପାଖାପାଖି ୧୦୦ ପରିବାର ଓ ତିନିଶହରୁ ଊର୍ଦ୍ଧ୍ୱ ମତଦାତା । ହେଲେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଅଭିଯୋଗ ହେଲା ଦୀର୍ଘ ଦିନ ଧରି ନେତାଙ୍କୁ ଭୋଟ ଦେଲେ ମଧ୍ୟ ସରକାରଙ୍କ ମୌଳିକ ସୁବିଧା ବର୍ତ୍ତମାନ ସୁଦ୍ଧା ଗାଁରେ ପହଞ୍ଚିପାରି ନାହିଁ। ଗାଁ ମୁଖିଆଙ୍କ କହିବା କଥା, ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେହିଭଳି ଗାଁରେ ନଳକୂପରୁ କେତେବେଳେ ଗୋଳିଆ ପାଣି ତ କେତେବେଳେ ବିଲକୁଲ ପାଣି ବାହାରୁନାହିଁ । ଯେଉଁଥିପାଇଁ ଗ୍ରାମର କିଛି ଦୂରରେ ଥିବା ଏକ ପୋଖରୀ ନିକଟରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମଲୋକେ । ସରକାର ଶୁଣିଲେଣି ବିସ୍ଥାପିତଙ୍କ ଦୁଃଖ, ୧୪ ଗାଁର ସାମୂହିକ ଭୋଟ ବର୍ଜନ ନିଷ୍ପତ୍ତି
ଏହି ଗାଁକୁ ମେଗା ୱାଟର୍ ସପ୍ଲାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ପିଇବା ପାଣି ଯୋଗାଇ ଦିଆଯିବା କହି ଆଜିକୁ ପାଞ୍ଚ ବର୍ଷ ହେବ ପ୍ରଶାସନ ଓ ନେତାମାନେ ପ୍ରତିଶ୍ରୁତି ଦେଇ ଠକି ଆସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ମଧ୍ୟ ଏହି ଅଞ୍ଚଳରେ କୌଣସି ରୋଜଗାରର ପନ୍ଥା ନଥିବାରୁ ଗ୍ରାମର ଅଧିକାଂଶ ଯୁବକ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । ଗ୍ରାମରେ ଗୋଟିଏ ମାତ୍ର ବିଦ୍ୟାଳୟ ରହିଛି କିନ୍ତୁ ବିଦ୍ୟାଳୟର ପାଚେରୀ ନଥିବାରୁ ପିଲାମାନେ ଅନେକ ସମୟରେ ରାସ୍ତାକୁ ଚାଲି ଆସୁଛନ୍ତି । ଏହି ବିଦ୍ୟାଳୟରେ ପାଚେରୀ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ତେଣୁ ବ୍ୟାପକ ସମସ୍ୟା ଘେରରେ ଥିବା ଗ୍ରାମବାସୀ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପଟେ ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡକାମି କହିଛନ୍ତି, ‘ଡଡିଗୁଡା ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଖୁବଶୀଘ୍ର ଏହି ରାସ୍ତାକାମ କରାଯିବ । ଏହା ସହ ପିଇବା ପାଣିର ସମସ୍ୟା ନେଇ ସେ କହିଛନ୍ତି ଯେ, ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଶୁଷ୍କ ଅଞ୍ଚଳ ହୋଇଥିବାରୁ ମାଟି ତଳେ ଜଳ ସ୍ତର ଶୁଷ୍କ। ବୋରୱେଲ୍ ଖୋଳିଲେ ବାଲି ଧସି ବୋରୱେଲ୍ ପୋତି ହୋଇ ଯାଉଛି । ମାଲକାନଗିରି ବ୍ଲକର ୧୯ଟି ପଞ୍ଚାୟତକୁ ମେଗାୱାଟର ସପ୍ଲାଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।ଏହି ଗାଁ ଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଗ୍ରାମବାସୀ ଯଥାଶୀଘ୍ର ପିଇବା ପାଣି କିଭଳି ପାଇବେ ,ତାହାରି ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରୁଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ମାନସ ମାଡକାମୀ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.