୫ ଲକ୍ଷରୁ ଊର୍ଦ୍ଧ୍ୱ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ ।

0 2

ସମ୍ବଲପୁର, ୦୨/୧୧: ଲାଞ୍ଚ କାରବାର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ସମ୍ବଲପୁର-ତାଳଚେର ଦୋହରୀକରଣ ରେଳପଥ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି। ଅଭିଯୋଗ ଅନୁଯାୟୀ, ଜମି ଅଧିଗ୍ରହଣ ବାବଦରେ ଅଭିଯୋଗକାରୀଙ୍କୁ ମିଳିବାକୁ ଥିବା ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ରାଶି ମଞ୍ଜୁର ଓ ପ୍ରଦାନ କରାଇବା ପାଇଁ ସେ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଦାବି କରିଥିଲେ। ଏଥିମଧ୍ୟରୁ ଗତ ୨୭ ତାରିଖରେ ସେ ୨ ଲକ୍ଷ ଟଙ୍କା ଗ୍ରହଣ କରିଥିବା ବେଳେ ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଅଭିଯୋଗକାରୀଙ୍କ ଉପରେ ଚାପ ପକାଉଥିଲେ। ଏପରିକି ବକେୟା ଟଙ୍କା ନଦେଲେ ତୃତୀୟ ରେଳ ଲାଇନ୍ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବାକୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଅନୈତିକ ଦାବିରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ସୋମବାର ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଟିମ୍ କାବୁ କରିଥିଲା। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.