୨୨ରେ ବିଧାନସଭା ମୌସୁମୀ ଅଧିବେଶନ, ଏଥର ଏମଏମଡିଆର ଓ ପୁସ୍ତକ ତ୍ରୁଟିରେ କମ୍ପିବ ।

0 3

ଭୁବନେଶ୍ୱର,୨୧/୦୯(ପିପିଟି):ଆସନ୍ତା ୨୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ତେବେ ତା’ ପୂର୍ବରୁ ସୋମବାର ସନ୍ଧ୍ୟା ୫ଟାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବ । ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳ ବିଧାୟକଙ୍କ ବୈଠକ ବସିବ ବୋଲି ବିରୋଧୀ ଦଳ ଉପମୁଖ୍ୟ ସଚେତକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି ।

ସେହିପରି ୨୨ ତାରିଖ ସକାଳ ୯ଟାରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରକୋଷ୍ଠରେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ । ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଉତ୍ତର ଆଦାୟ କରିବେ, ତା’ର ତାଲିକା ପ୍ରସ୍ତୁତ ହେବ । ତେବେ ମୌସୁମୀ ଅଧିବେଶନରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ(ଏମଏମଡିଆର୍) ଆଇନ ମୁଖ୍ୟ ପ୍ରସଙ୍ଗ ସାଜିବ ବୋଲି ଉଭୟ ବିରୋଧୀ ଦଳ ବିଧାୟକମାନେ ସୂଚନା ଦେଇଛନ୍ତି । ଏହା ସହିତ ପୁସ୍ତକ ମୁଦ୍ରଣ ତ୍ରୁଟି, ଆଇନ ଶୃଙ୍ଖଳା ସ୍ଥିତି, ୟୁପିଆଇ ପେମେଣ୍ଟରେ ଶୁଳ୍କ ଲାଗୁ, ଶିକ୍ଷକ ନିଯୁକ୍ତି, ଦରଦାମ ବୃଦ୍ଧି, ବନ୍ୟା ପରିଚାଳନା, ଛାତ୍ର ସଂସଦ ନିର୍ବାଚନ ଘୋଷଣା ନହେବା ଆଦି ପ୍ରସଙ୍ଗରେ କମ୍ପିବ ବୋଲି ବିରୋଧୀ ଦଳର ବିଧାୟକମାନେ ସୂଚନା ଦେଇଛନ୍ତି ।

ବିରୋଧୀ ଦଳକୁ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ଆସନ୍ତାକାଲି ଅପରାହ୍ନରେ ପ୍ରସ୍ତୁତ କରିବେ ରଣନୀତି । ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ବରିଷ୍ଠ ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ତେବେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିଧାନସଭାକୁ ସୁଚାରୁରୂପେ ଚଳାଇବାକୁ ସୋମବାର ଦିନ ୧୧ଟା୩୦ରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ । ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।

ବିଧାନସଭା ଅଧିବେଶନ ମାହୋଲ ସରଗରମ ରହିବ ବୋଲି ପୂର୍ବରୁ ସୂଚନା ମିଳୁଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭାକୁ ଯାଉଥିବା ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ କରାଯାଇଛି । ଅନୁମତିପ୍ରାପ୍ତ ଗାଡ଼ିଗୁଡ଼ିକୁ ହିଁ ଯିବାକୁ ଦିଆଯିବ । ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ଗୋଟିଏ ପ୍ରବେଶ ପଥ, ସାମ୍ବାଦିକଙ୍କ ପାଇଁ ଅଲଗା ଗେଟ୍ ଏବଂ ବାଚସ୍ପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା କରାଯାଇଛି । ବିଧାନସଭା ଭିତର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିଧାନସଭା ପରିସରରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ସେହିପରି ବିଧାନସଭା ବାହାରେ ୧୦ରୁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଏହାବ୍ୟତୀତ ବିଧାନସଭା ଓ ଏହାର ଆଖପାଖ ନିର୍ମାଣକୁ ନଜରରେ ରଖି ରୁଫ୍ଟପ୍ରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ ହେବେ । ସୁରକ୍ଷା ପାଇଁ ପୃଥକ ଭାବେ ଗୁଇନ୍ଦା ଟିମ୍ ମଧ୍ୟ ନିୟୋଜିତ ରହିବେ । ପ୍ରତିଦିନ ବିଧାନସଭା ଆରମ୍ଭ ପୂର୍ବରୁ ଡଗ୍ ସ୍କ୍ୱାଡ୍ ଓ ଆଣ୍ଟି-ସାବାଟାଜ୍ ଟିମ୍ ପକ୍ଷରୁ ସମ୍ପୂର୍ଣ୍ଣ ବିଲ୍ଡିଂ ଯାଞ୍ଚ କରାଯିବ । ବିଧାନସଭା ଅଧିବେଶନ ସମୟରେ ବିଭିନ୍ନ ସଙ୍ଗଠନ ଓ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଗତିବିଧି ଉପରେ ମଧ୍ୟ ପୁଲିସ ନଜର ରଖିବ । ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନ ବିଗିଡ଼େ, ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.