ହିଞ୍ଜିଳିକାଟୁ ଅଞ୍ଚଳର ତିନି ବର୍ଷର ମାଆକୁ ହରେଇଥିବା ଶିଶୁର ସମସ୍ତ କଥା ବୁଝିଲେ ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷା ।
ବ୍ରହ୍ମପୁର,୧୧/୦୫(ପିପିଟି):ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ଯକ୍ଷା ବବିତା ପାତ୍ର,ସଦସ୍ଯା କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଉତ୍କଳ ବାଳାଶ୍ରମ,ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ଯାଳୟ ଏବଂ ହିଞ୍ଜିଳି ପୋଲିସ ଷ୍ଟେସନ୍ ପରିଦର୍ଶନ କରିବା ସହିତ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିଥିଲେ ।
ଉତ୍କଳ ବାଳାଶ୍ରମରେ ଶିଶୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ଖାଦ୍ଯ ପାନୀୟର ମାନ ଯାଞ୍ଚ କରିବା ସହିତ ନିକଟ ଅତୀତରେ ହିଞ୍ଜିଳିକାଟୁ ଅଞ୍ଚଳରେ ମାଆକୁ ହରେଇଥିବା ତିନି ବର୍ଷ ଶିଶୁର ସମସ୍ତ କଥା ପଚାରି ବୁଝିଥିଲେ । ଏହି ଶିଶୁ ବା ରାଜ୍ଯର ଯେ କୌଣସି ଶିଶୁ ସେମାନଙ୍କ ଅଧିକାରରୁ ଯେପରି ବଞ୍ଚିତ ନ ହୁଅନ୍ତି ଏବଂ ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ଯର ଉନ୍ନତି ପାଇଁ ସରକାର ସଦା ସଂକଳ୍ପବଦ୍ଧ ବୋଲି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ଯକ୍ଷା ଶ୍ରୀମତୀ ପାତ୍ର ପ୍ରକାଶ କରିଛନ୍ତି । ଦୁଇମାସ ମଧ୍ଯରେ ଯଦି ଶିଶୁକୁ ତାର ରକ୍ତ ସମ୍ପର୍କିୟମାନେ ନ ନିଅନ୍ତି ତାହାହେଲେ ସରକାରୀ ନୀତି ନିୟମ ଅନୁପାଳନ ପୂର୍ବକ ଶିଶୁଟିକୁ କାରାକୁ ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ଯାଳୟ,ବ୍ରହ୍ମପୁରର ଏସ୍. ଏନ୍.ସି.ୟୁ., ମିକୁ, ମଦର କେୟାର ସେଣ୍ଟରରେ ଉପଲବ୍ଧ ସୁବିଧାକୁ ନେଇ ସଦସ୍ଯା ମାନେ ସନ୍ତୋଷ ବ୍ଯକ୍ତ କରିବା ସହିତ ଏହି ସବୁ ସ୍ଥାନରେ ଆବଶ୍ଯକ ହେଉଥିବା ଆହୁରି ଉନ୍ନତମାନର ସୁବିଧା ଓ ଭେଷଜ ମହାବିଦ୍ଯାଳୟରେ ଦେଖାଯାଉଥିବା ବିଭିନ୍ନ ସମସ୍ଯା ସମ୍ପର୍କରେ ରାଜ୍ଯ ସରକାରଙ୍କୁ ଅବଗତ କରିବେ ବୋଲି ଅଧ୍ଯକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି । ଏହା ବ୍ଯତୀତ ସେମାନେ ବିଭିନ୍ନ ଇଟାଭାଟି ଓ ଛତୁଆ ସେଣ୍ଟରକୁ ଅପ୍ରତ୍ଯାଶିତ ଭାବରେ ଯାଇ ଇଟାଭାଟିରେ ଶିଶୁ ମାନେ କାମ କରୁଛନ୍ତି କି ନାହିଁ ସେ କଥା ଅନୁସନ୍ଧାନ କରିବା ସହିତ ଛତୁଆର ମାନ ଯାଞ୍ଚ କରିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଅନ୍ଯାନ୍ଯ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।