ହାଇଲାଇଟ୍ ମାନିଆ ।

0 2

ଆଜି କାଲି ଯାଇ ଲାଇଟ୍ ହେବାର ମାନିଆ ବହୁ ଲୋକଙ୍କୁ ଘାରିଛି। ଅଧିକାଂଶ ଲୋକ ରାଜନୈତିକ ଦଳରେ ସାମିଲ ହୋଇ ହାଇଲାଇଟ୍ ହେବାକୁ ଚାହାଁନ୍ତି। କୁଜି ନେତାଟିଏ ନ ହେଲେ ନାହିଁ, କର୍ମୀଟିଏ ହେଲେ ଚଳିବ। ନେତା ମନ୍ତ୍ରୀ କେବେ କେବେ ଜିଲ୍ଲା ଗସ୍ତରେ ଆସିଲା ବେଳେ କର୍ମୀମାନଙ୍କ ପ୍ରବଳ ଭିଡ଼ ଜମେ। ଚିକଣ ଚାକଣ ପୋଷାକ ପରିଧାନ କରି ମୁଚୁକୁନ୍ଦିଆ ହସ ଟିକେ ମାରି ଚିକଣିଆ କଥା କହନ୍ତି। କେହି କେହି ହାଇଲାଇଟ୍ ହେବା ପାଇଁ ନେତା ପଛେ ପଛେ ବୁଲନ୍ତି। ନେତାଙ୍କ ବୋକଚା ବୁହନ୍ତି। ନେତାଙ୍କ ପାଇଁ ଚଉରାଶି କାମ କରନ୍ତି।
ଫୁଲ ତୋଡା ଖଣ୍ଡେ ଦେଇ ମୋବାଇଲ୍ ରେ ଫଟୋଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ବା ଫେସବୁକ୍ ପୋଷ୍ଟ କରି ଆତ୍ମସନ୍ତୋଷ କରନ୍ତି। ନେତାମାନେ ମଧ୍ୟ ଖୁସ୍। କାରଣ କର୍ମୀଙ୍କ ସହିତ ଫଟୋଚିତ୍ର ଉଠାଇଲେ ନିଜକୁ ଜଣେ ନାମିଦାମୀ ସେଲିବ୍ରେଟି ଭଳି ଅନୁଭବ ହେବ। କେତେ ଲୋକ ବିଭିନ୍ନ ମନ୍ତ୍ରୀ ବିଧାୟକଙ୍କ ଫଟୋଚିତ୍ର ନିଜ ସହିତ ଉଠାଇଥିବା ଘଟଣା ନିଜର ବନ୍ଧୁ ବର୍ଗ ସାଙ୍ଗ ସାଥିଙ୍କୁ ଦେଖାଇ ଆତ୍ମ ସନ୍ତୋଷ ମଣନ୍ତି। ଏହା ଗୋଟିଏ ଗୋଟିଏ ପାଗଳାମି କହିଲେ ଚଳେ। ଏମିତି ଫଟୋ ଉଠାଇ ରଖିଲେ, ନିଜର କଣ ଲାଭ ଅଛି? କିମ୍ବା ବିଭିନ୍ନ ସୋସିଆଲ ମିଡ଼ିଆରେ ଫୋଷ୍ଟ କଲେ କାହାରି କିଛି ଉନ୍ନତି ହେବାର ନାହିଁ।

ଆଉ କିଛି ସରକାରୀ କର୍ମଚାରୀମାନେ ମଧ୍ୟ ଜିଲ୍ଲାର କାର୍ଯ୍ୟରତ ଅଧିକାରୀ, ଜିଲ୍ଲାପାଳ ଏବଂ ଏସପିଙ୍କ ସହିତ ଫଟୋଚିତ୍ର ଉତ୍ତୋଳନ କରି ବଡ ଆତ୍ମସନ୍ତୋଷ ଲାଭ କରନ୍ତି। ସେମାନେ ନିଜ ପରିବାର ଠାରୁ ସାଙ୍ଗ ସାଥିଙ୍କ ସହିତ କଥା ଛଳରେ ଯୁଗଳ ଫଟୋଚିତ୍ରକୁ ଦେଖାଇ ଗର୍ବ ଅନୁଭବ କରନ୍ତି। ଏଥିରେ କଣ କାହାର ଲାଭ ଅଛି କି ? କିଛି ନାହିଁ।ମୁହୂର୍ତ୍ତକ ପାଇଁ ଗୋଟେ ଖୁସି। ସେହି ଅଧିକାରୀ ଜିଲ୍ଲା ଛାଡ଼ି ବଦଳି ହେଲା ପରେ, ଯଦି କୌଣସି କାମ ପଡେ ଫୋନ୍ କଲେ ଫୋନ୍ ଉଠାଇବେ ନାହିଁ। କାରଣ ତଳିଆ କର୍ମଚାରୀ ହେଉ କି ତଳିଆ କର୍ମୀ ହେଉ, ଏମାନେ ବଡ଼ବଡ଼ିଆ ସହିତ ଯେତେ ଆତ୍ମୀୟତା ବାନ୍ଧିବାକୁ ଚେଷ୍ଟା କଲେ ମଧ୍ୟ, ସେମାନେ କେବେ ତଳିଆ ଲୋକଙ୍କୁ ହୃଦୟରେ ସ୍ଥାନ ଦିଅନ୍ତି ନାହିଁ। ସେମାନେ ସର୍ବଦା ତଳିଆ ଲୋକଙ୍କୁ ୟୁଜ୍ ଏଣ୍ଡ ଥ୍ରୋ କରିଥାନ୍ତି। କିନ୍ତୁ ବିଚାରା ତଳିଆ ଲୋକଟି ଯେଉଁ ଫଟୋ ଉତ୍ତୋଳନ କରି ହାଇଲାଇଟ୍ ହେବାକୁ ଚାହେଁ, ସେ ବଡ ବଡିଆଙ୍କୁ ଆପଣର ଭାବେ, ଦିନେ ନିଜର କାମ ପାଇଁ ପରୀକ୍ଷା କଲେ, ଜାଣି ପାରିବ, ସେମାନେ ଅନ୍ତରରେ କେତେ ଘୃଣା କରନ୍ତି। ନିଜର କାମରେ ବିନ୍ଦୁଏ ମଧ୍ୟ ସହଯୋଗ କରନ୍ତି ନାହିଁ।

ଆଉ କିଛି ଲୋକ ବିଭିନ୍ନ ସରକାରୀ ବେସରକାରୀ ଫଙ୍କସନରେ ପେଣ୍ଡାଲ ଉପରକୁ ଉଠି ଲଡବଡ ହୁଅନ୍ତି। କାଳେ ଦର୍ଶକଙ୍କ ନଜର ନିଜ ଆଡକୁ ଆସୁ। ଯେତେବେଳେ ଗେଷ୍ଟମାନେ ମଞ୍ଚାସୀନ ହୁଅନ୍ତି, ସେହି ହାଇଲାଇଟ୍ ହେବା ପାଇଁ ଇଛାଧାରୀ ବ୍ୟକ୍ତି ଜଣଙ୍କ ସେଠାରୁ ଅପସାରଣ ହୁଏ। ତା ପୂର୍ବରୁ ଗୋଟେ ମଞ୍ଚସ୍ଥ ଫଟୋଚିତ୍ର ଉଠାଇ ଫେସବୁକ ରେ ଛାଡେ। ଆଉ ଆତ୍ମସନ୍ତୋଷ ହୁଏ।

ଆଉ କିଛି ଯୁବକ ଯୁବତୀ ହାଇଲାଟ୍ ହେବା ପାଇଁ ଫେସବୁକ୍ ରେ ଅଶ୍ଳୀଳ କଥା ପୋଷ୍ଟ କରନ୍ତି। କିଛି ଲୋକ କମେଣ୍ଟ ବକ୍ସରେ ନାନା ଅସଭ୍ୟ ଭାଷାକୁ ପୋଷ୍ଟ କରନ୍ତି। କିଛି ଯୁବତୀ ଅର୍ଦ୍ଧ ଲଙ୍ଗଳା ଫଟୋ ଛାଡି ରାତାରାତି ହାଇ ଲାଇଟ୍ ହେବାକୁ ଚାହାଁନ୍ତି। ଏ ସବୁ ଗୋଟିଏ ଗୋଟିଏ ମାନିଆ ବା ପାଗଳାମି।ଭଲ କଥା ବା ଶିକ୍ଷଣୀୟ କଥା ନେଇ ହାଇଲାଇଟ୍ ହେବାକୁ କେହି ପସନ୍ଦ କରନ୍ତି ନାହିଁ। ମନ୍ଦ ଉଦ୍ଦେଶ୍ୟ ନେଇ ହାଇ ଲାଇଟ୍ ହେବା ପାଇଁ ଅଧିକାଂଶ ଯୁବ ପିଡି ସୋସିଆଲ ମିଡ଼ିଆ ବା ମୋବାଇଲ କୁ ବ୍ୟବହାର କରନ୍ତି।ନେତାମାନେ ମଧ୍ୟ ବିରୋଧୀ ଦଳକୁ ନାନାଦି ଭର୍ତ୍ସନା କରି ହାଇଲାଟ୍ ହେବାକୁ ଚାହାଁନ୍ତି। ଆଉ କିଛି ମିଡ଼ିଆ ବାଲା କିଛି ନେତା ମନ୍ତ୍ରୀଙ୍କ ଭାଷଣକୁ କାଟି ଏଡିଟିଙ୍ଗ କରି ହାଇଲାଟ୍ କରିବାକୁ ନିଜର ବାହୁ ଦୂର ବୋଲି ବିବେଚନା କରନ୍ତି।
ଆଜି କାଲି କିଏ କେଉଁ ବାଟରେ ହେଉ ଟିକେ ହାଇଲାଟ୍ ହେବାକୁ ଚାହାଁନ୍ତି। ଆଉ ହାଇଲାଟ୍ ର ମାଧ୍ୟମ ହେଲା ହାତରେ ଧରି ଥିବା ଖଣ୍ଡେ ମୋବାଇଲ। ଏବେ କିଛି ପରାଜିତ ନେତା ଘରେ ବସି ନିଜର ଭାଷଣକୁ ମୋବାଇଲ୍ ରେ ରେକର୍ଡ କରି ଫେସ୍ ବୁକ୍ ରେ ଛାଡୁଥିବା ଦେଖିବାକୁ ମିଳୁଛି। କାରଣ ସେମାନେ ଭାବନ୍ତି, ନିର୍ବାଚନରେ ହାରିଗଲା ପରେ ନିଜ ଦଳର ମନ୍ତ୍ରୀ ବିଧାୟକ କିଏ ପଚାରୁ ନାହାଁନ୍ତି, ତେବେ ସାଧାରଣ ଜନତା ଠାରୁ କାଳେ ନିଜର ଅସ୍ତିତ୍ବ ବିଲୁପ୍ତ ହୋଇଯିବା ଭୟ ଯୋଗୁଁ ଘରେ ବସି କିଛି ଏଣୁ ତେଣୁ ଗପି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ନିଜ କୁ ହାଇଲାଟ୍ କରିବାର ସହଜ ଉପାୟ ଆଉ କଣ ହୋଇ ପାରେ ? ତେବେ ହାଇଲାଇଟ୍ ହେବାକୁ କେବଳ ଯେ ନେତା ମନ୍ତ୍ରୀ ତଳ ତଳିଆ କର୍ମୀମାନଙ୍କ ପ୍ରତି ଯୋଗିତା ଚାଲି ନାହିଁ। ମିଡ଼ିଆ ବାଲାଙ୍କୁ ଡାକି କପେ ଚାହା ଆଉ ଦୁଇ ଖଣ୍ଡ ବିସ୍କୁଟ ଦେଇ ଅନେକ ଅଫିସର ମଧ୍ୟ ହାଇ ଲାଇଟ୍ ହେବାକୁ ମନରେ ଅକୁଣ୍ଠିତ ଅଭିଳାଷ ରଖିଥାନ୍ତି। ମିଡ଼ିଆ ବାଲା ମଧ୍ୟ ପ୍ରସଙ୍ଗ ବିହିନ ମୁଦ୍ଦାକୁ ବଢ଼ା ଚଢା କରି ହାଇଲାଟ୍ କରିବାକୁ କମ୍ ବୁଦ୍ଧି ପ୍ରୟୋଗ କରନ୍ତି ନାହିଁ।
ଯେଉଁ ଅଫିସର କେବେ ଭିଜିଲାନ୍ସ ଟ୍ରାପ୍ କି ଆୟବର୍ହିଭୂତ ସମ୍ପତ୍ତିକୁ କୁଳରେ ଭିଜିଲାନ୍ସ ଦ୍ବାରା ଧରା ପଡେ କାଳେ ନିଜ ଚେହେରାକୁ ମିଡିଆବାଲାମାନେ ହାଇ ଲାଇଟ୍ କରି ଦେବା ଭୟରେ ମୁହଁ ଲୁଚେଇ ବୁଲନ୍ତି।କାଳେ ନିଜର ଚିତ୍ର ଚରିତ୍ର ପଦାରେ ପ୍ରକାଶ ପାଇବା ଭୟରେ,ବନ୍ଧୁ ପରିଜନ ଜାଣିଥିବା ଡରରେ ମିଡିଆ ଠାରୁ ଦୂରରେ ରହନ୍ତି।

(ଆଲେଖ୍ୟ:କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.