ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ।

0 0

ଭୁବନେଶ୍ୱର, ୦୫/୦୮(ପିପିଟି):ଚଳିତ ବର୍ଷ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ।
ଏହି ପରିପ୍ରେକ୍ଷୀରେ ଆଜି ଅପରାହ@୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୬ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗଠାରେ ସକାଳ ୯ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍‌ ଓ ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ବରପୁତ୍ରମାନଙ୍କ ଫଟୋଚିତ୍ର ପ୍ରଦର୍ଶନ, ନିମନ୍ତ୍ରିତ ଅତିଥିଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ । ସାଧାରଣତନ୍ତ୍ର ଦିବସ-୨୦୨୬ରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡ୍‌ରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ କଣ୍ଟିଜେଣ୍ଟ ଓ ପ୍ରଜ୍ଞାପନ ମେଢ଼କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରିବେ । ଏଥି ସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ ।
ଚଳିତ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍‌ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍‌ ନିୟନ୍ତ୍ରଣକୁ କମିଶନରେଟ୍‌ ପୋଲିସ ପକ୍ଷରୁ ପରିଚାଳନା କରାଯିବ ।
ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ(ବୈଷୟିକ) ଗୁର୍‌ବୀର୍‌ ସିଂ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେଉରିଆ, ଅତିରିକ୍ତ ନିର୍ଦ୍ଦେଶକ  ସ୍ମିତା କର, ଯୁଗ୍ମ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.