ସିପିଆଇ (ଏମ୍ ଏଲ୍) ରେଡଷ୍ଟାର ର ୮ମ ଓଡ଼ିଶା ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ;ଶଙ୍କର ଇନକିଲାବ ରାଜ୍ୟ ସମ୍ପାଦକ ଭାବରେ ନିର୍ବାଚିତ ।

0 0

​ଭୁବନେଶ୍ୱର,୩୦/୦୭(ପିପିଟି): ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ସିପିଆଇ (ଏମ୍ ଏଲ୍) ରେଡଷ୍ଟାର ପାର୍ଟିର ଦୁଇ ଦିନିଆ ୮ମ ଓଡ଼ିଶା ରାଜ୍ୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ୧୧ ଜଣ ରାଜ୍ୟ ନେତୃତ୍ବ ଏବଂ ଶଙ୍କର ଇନକିଲାବ ରାଜ୍ୟ ସମ୍ପାଦକ ଭାବରେ ନିର୍ବାଚିତ। ପାର୍ଟିର ବର୍ଷିୟାନ ନେତା କମ୍ରେଡ ବଟକୃଷ୍ଣ ରାଉତ ପତାକା ଉତ୍ତୋଳନ କରି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ କମ୍ରେଡ ଚାରୁ ମଜୁମଦାରଙ୍କ ଶହୀଦ ଦିବସ ପାଳନ କରାଯିବା ସହ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସାଥୀମାନେ ଶ୍ରଦ୍ଧାଞ୍ଜଳି ସହ ଲାଲ୍ ଅଭିନନ୍ଦନ ଜ୍ଞାପନ କରିଥିଲେ । ​ପାର୍ଟିର ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଖୋଲା ଅଧିବେଶନରେ ପ୍ରଫେସର ସ୍ବାଧୀନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ।

​ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ସିପିଆଇ (ଏମ୍ ଏଲ୍) ରେଡଷ୍ଟାରର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ପି.ଜେ. ଜେମ୍ସ ଆସନ୍ତା ୧୬ ରୁ ୨୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଇଚୁରଠାରେ ପାର୍ଟିର ୧୩ତମ ମହା ଅଧିବେଶନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।
​ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଆର୍.ଏସ୍.ଏସ୍.-ବିଜେପିର ଏକଛତ୍ରବାଦୀ ଶାସନ ଓ ଫାସିବାଦୀ ଆକ୍ରମଣ ଅଦୃଶ୍ୟ ଭାବେ ଜନଗଣଙ୍କ ସମସ୍ତ ଗଣତାନ୍ତ୍ରିକ ଅଧିକାରକୁ ସଂକୁଚିତ କରୁଛି। ରାସ୍ତାରୁ ରାଷ୍ଟ୍ର ପର୍ଯ୍ୟନ୍ତ କ୍ଷମତା ଦଖଲ କରିଥିବା ଏହି ଶାସନରେ ନିର୍ବାଚନ ଓ ସଂସଦୀୟ ବ୍ୟବସ୍ଥା ରହିଛି ସତ, ମାତ୍ର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ବଳିଦେଇ କେବଳ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଏହାର ମୁକାବିଲା ପାଇଁ ସମସ୍ତ କମ୍ୟୁନିଷ୍ଟ ପାର୍ଟି ଗଭୀର ଆତ୍ମସମୀକ୍ଷା କରିବା ସହ ଜନ ଆନ୍ଦୋଳନକୁ ଦୃଢନେତୃତ୍ବ ଦେଇ ଜନଗଣଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରଥମ ଦିନର ଉଦଘାଟନୀ ଅଧିବେଶନରେ
​ସି.ପି.ଆଇ(ଏମ୍.ଏଲ୍) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସି.ପି.ଆଇ(ଏମ୍.ଏଲ୍) ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ସି.ପି.ଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତା, ସି.ପି.ଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଏବଂ ଫରୱାର୍ଡ ବ୍ଲକ୍‌ର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଫେସର ବିଜୟ ବହିଦାର, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ‘ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ’ର ନରେନ୍ଦ୍ର ମହାନ୍ତି, ସାମାଜିକ କର୍ମୀ ରଞ୍ଜନା ପାଢ଼ୀ,ସୁଧୀର ପଟ୍ଟନାୟକ, ହେତୁବାଦୀ ସାଥୀ ଶୁକ୍ରୁ, ଲେନିନ ମହାନ୍ତି ଏବଂ ‘ଅଭିରାମ ମଲ୍ଲିକ, ରୁମିତା କୁଣ୍ଡୁ, ଆଦିବାସୀ ଭାରତ ମହାସଭା ରାଜ୍ୟ ସଂପାଦକ ଟୁନା ମଲ୍ଲିକ, ଟି.ୟୁ.ସି.ଆଇ. (TUCI) ରାଜ୍ୟ ସଭାପତି ବିଚିତ୍ର ପାତ୍ର, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ୍ ରାଜ୍ୟ ସଂପାଦିକା ପି. ପାର୍ବତୀ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ (AIRWO) ରାଜ୍ୟ ସମ୍ପାଦିକା ରାଧାରାଣୀ ମାହାରଣା, ବସ୍ତି ସୁରକ୍ଷା ମଞ୍ଚ ସଭାନେତ୍ରୀ ହେନା ବାରିକ ଏବଂ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ଆଦି ସମ୍ମିଳନୀର ସଫଳତା ପାଇଁ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରିଥିଲେ ।

​ପ୍ରତିନିଧି ଅଧିବେଶନରରେ ରାଜ୍ୟ ରାଜନୈତିକ ଓ ସାଂଗଠନିକ ରିପୋର୍ଟ ସହ ୪ ଟି କେନ୍ଦ୍ରୀୟ ଚିଠା ଉପସ୍ଥାପନ ହେବା ସହ ଆଲୋଚନା ହୋଇଛି । ଭାରତୀୟ ପରିସ୍ଥିତିରେ ବିପ୍ଳବର ପଥ ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶଙ୍କର ଦାସ ଅତି ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ। ସଫଳତାର ସହ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ୭ ଟି ନିର୍ଧାରଣ ଗୃହିତ ହୋଇଥିବା ବେଳେ ଫୁଲବାଣୀ ମେଡିକାଲ କଲେଜର ନାମକରଣ କୁଇ ବିଦ୍ରୋହ ନାୟକ ଚକରା ବିଷୋୟୀଙ୍କ ନାମରେ ନାମିତ କରିବା ସହ ପାଠ୍ୟପୁସ୍ତକରେ ଅକ୍ଷମଣୀୟ ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ତୁରନ୍ତ ଶିକ୍ଷାମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ସହ ଏହି ସମସ୍ତ ପୁସ୍ତକକୁ ପ୍ରତ୍ୟାହୃତ କରିବା ପାଇଁ ସଂକଳ୍ପ ଗୃହିତ ହୋଇଯାଇଛି । ନବ ନିର୍ବାଚିତ ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ରାଜ୍ୟର ପ୍ରତିଟି ସମସ୍ୟାକୁ ଅତି ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରି ଜନ ଆନ୍ଦୋଳନ ପ୍ରସ୍ତୁତ କରିବା ପାଇଁ ନୂତନ ରାଜ୍ୟ କମିଟି କାମ କରିବା ପାଇଁ ଚେଷ୍ଟା କରିବ ବୋଲି ଆଶା ବ୍ୟକ୍ତ କରିଥିଲେ।‌ ପଲିଟିବ୍ୟୁରୋ ସଦସ୍ୟ ତଥା ବସ୍ତିବାସିନ୍ଦାଙ୍କ ପ୍ରିୟ ନେତ୍ରୀ କମ୍ରେଡ ପ୍ରମିଳା କର୍ମସ୍ଥଳୀ ନିକଟରେ ୬୦୦ ବର୍ଗଫୁଟ ଜମିକୁ ସୁନିଶ୍ଚିତ କରିବା ପାଇଁ ଆନ୍ଦୋଳନକୁ ଦୁର୍ବାର କରିବାପାଇଁ ଆହ୍ୱାନ ଦେଇ ସମ୍ମିଳନୀକୁ ସଫଳ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.