ସାଉଦି ଆରବରୁ ଫେରି ଶିଳ୍ପ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଳୟ ।

0 2

ଭୁବନେଶ୍ୱର,୨୯/୦୭(ପିପିଟି ):ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର ଓଡିଶା ଫେରିଛନ୍ତି। ଏଥିପାଇଁ ସେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାନ୍ୟବର ମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ହିଁ ସେ ଏତେଶୀଘ୍ର ଘରକୁ ଫେରିଥିବା କହିଛନ୍ତି। ପ୍ରଳୟ ଏବଂ ତାଙ୍କ ପରିବାର ଲୋକେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ତାଙ୍କ ବାସଭବନରେ ଭେଟି କୃତଜ୍ଞତା ଜଣାଇଛନ୍ତି। ଏହାସହ ତ୍ବରିତ ହସ୍ତକ୍ଷେପ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪.୦୫.୨୦୨୪ରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ ‘ମଜାଦ୍ ଅଲ୍-ହରବି’ କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଗତ ୩୦.୦୪.୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିଲେ। ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଏନେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଜଣାଇବା ସହ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ।

ମନ୍ତ୍ରୀ ଚିଠି ଲେଖିବା ପରେ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସ ପ୍ରଳୟଙ୍କୁ ‘ଫାଇନାଲ୍ ଏକଜିଟ୍’ ଏବଂ ବିମାନ ଟିକେଟ୍ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ନିଯୁକ୍ତିଦାତାଙ୍କ ସହ ଆଲୋଚନା କରିଥିଲେ। ଦୂତାବାସର ହସ୍ତକ୍ଷେପ ଫଳରେ, କମ୍ପାନୀ ତାଙ୍କୁ ‘ଫାଇନାଲ୍ ଏକଜିଟ୍’ ମଞ୍ଜୁର କରିବା ସହ ବିମାନ ଟିକେଟ୍ ଯୋଗାଇ ଦେଇଥିଲା। ଏହାପରେ ଓଡିଶା ଫେରିଛନ୍ତି ପ୍ରଳୟ। ପୁଅ ସାଉଦି ଆରବରେ ଫସି ରହିଥିବାରୁ ପ୍ରଳୟଙ୍କ ପୂରା ପରିବାର ମାନସିକ ଚିନ୍ତାରେ ଥିଲେ। ବାପା ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ମାନସିକ ଦୁଶ୍ଚିନ୍ତା ବଢି ଯାଇଥିଲା। ତେବେ ପ୍ରଳୟ ଫେରିଆସିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କ ପାଇଁ ପୁଅ ଫେରିଥିବା ପ୍ରଳୟଙ୍କ ପରିବାର ଲୋକେ କହିଛନ୍ତି।

Leave A Reply

Your email address will not be published.