ଶ୍ମଶାନ ରାସ୍ତା କାଦୁଅରେ ଭର୍ତ୍ତି, ଶେଷ ଯାତ୍ରାରେ ବି ଅପମାନିତ ହେଉଛନ୍ତି ପାଟବନ୍ଧ ବାସୀ।

0 10

ବୋଲଗଡ଼,୧୯/୦୮(ପିପିଟି): ଜୀବନରେ ସୁବିଧା ନମିଳୁ, ମୃତ୍ୟୁ ପରେ ମଧ୍ୟ ସମ୍ମାନ ମିଳୁନି।ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ଲୋକଙ୍କ ଅବସ୍ଥା ଏବେ ଠିକ୍ ଏମିତି ହୋଇଛି। ଗ୍ରାମର ପଶ୍ଚିମେଶ୍ୱର ପୀଠରୁ ଶ୍ମଶାନ ପର୍ଯ୍ୟନ୍ତ ମାତ୍ର ୫୦୦ ମିଟର ରାସ୍ତା ପାଇଁ ଆଜି ଗ୍ରାମବାସୀ ପ୍ରତି ମୁହୂର୍ତ୍ତରେ ଲଢେଇ କରୁଛନ୍ତି। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ମୃତ ଶରୀରକୁ ସଂସ୍କାର କରିବାକୁ ନେବା ବେଳେ ଗ୍ରାମବାସୀ ନାକେଦମ୍ ହେଉଛନ୍ତି। କାଦୁଅ ଓ ପାଣି ଜମିଥିବା ଖାଲରେ ଭର୍ତ୍ତି ଶେଷ ପଥ। ରାସ୍ତାରେ ବଡ ବଡ ଖାଲ ଏବଂ ସବୁବେଳେ ପାଣି କାଦୁଅ ଲାଗି ରହିଛି। ବର୍ଷା ଦିନେ ଏଇ ରାସ୍ତା ସମ୍ପୂର୍ଣ୍ଣ ଦଲଦଲରେ ପରିଣତ ହୋଇଯାଏ। ଚାରି ଜଣ ଏବଂ ସମ୍ପର୍କିୟ ମିଶି ଖଟିଆ ବୋହିବା ବେଳେ ବାରମ୍ବାର ଖସି ପଡୁଛି। ବୃଦ୍ଧ ଓ ମହିଳାମାନଙ୍କ ପାଇଁ ତ ରାସ୍ତା ଅତିକ୍ରମ କରିବା ପ୍ରାୟ ଅସମ୍ଭବ ହୋଇପଡିଛି। ରାତିରେ ମୃତ ଶରୀରକୁ ନେଇ ଏଇ ରାସ୍ତା ଦେଇ ଯିବା କଥା କଳ୍ପନା ବାହାରେ। ଗ୍ରାମବାସୀଙ୍କ କହିବା ଅନୁସାରେ ଏଇ ୫୦୦ ମିଟର ରାସ୍ତା କିଛି ପ୍ରଭାବଶାଳୀ ଲୋକଙ୍କ କବଲିତ ଜମି ଦେଇ ଯାଇଛି। ଫଳରେ ଶ୍ମଶାନକୁ ଯିବା ପାଇଁ କୌଣସି ସ୍ୱତନ୍ତ୍ର ସରକାରୀ ରାସ୍ତା ନାହିଁ। ତେଣୁ ବର୍ଷ ବର୍ଷ ଧରି ପ୍ରଶାସନ ମଧ୍ୟ ମରାମତି କରିବାକୁ ଆଗ୍ରହ ଦେଖାଉନାହିଁ। ପାଟବନ୍ଧ ଗ୍ରାମରେ ପ୍ରାୟ ୧୫୦ ପରିବାର ବାସ କରୁଛନ୍ତି। ସମସ୍ତେ ଏଇ ଗୋଟିଏ ରାସ୍ତା ଦେଇ ଶ୍ମଶାନକୁ ଯାଆନ୍ତି। ଜଣେ ଗ୍ରାମବାସୀ ଆକ୍ରୋଶ ସହ କୁହନ୍ତି, _”ଜୀବିତ ଥିବା ବେଳେ ତ କଷ୍ଟ ସହୁଛୁ, ଶେଷ ଯାତ୍ରାରେ ବି ଏମିତି କଷ୍ଟ ଦେଉଛି ଏଇ ରାସ୍ତା। ଆମକୁ କି ମଣିଷ ବୋଲି ଭାବୁନାହାନ୍ତି କି?” ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ରାସ୍ତା ମରାମତି ଓ ଢଳେଇ କରିବା ସହ ରାସ୍ତାକୁ ସରକାରୀ ଘୋଷଣା କରିବାକୁ ନିବେଦନ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.