ମାଲକାନଗିରି,୨୫/୦୯ : ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ଘର ଭିତରକୁ ବର୍ଷାଜଳ ପଶିଛି। ପୋଟେରୁ, କାଙ୍କରକୁଣ୍ଡା, ଏମ୍ଭି-୯୦ ଓ ଏମ୍ଭି-୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି। ଆଶ୍ରୟସ୍ଥଳୀରେ ରହିବା ସହ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୬ଟି ବ୍ଲକର ୫୮ଟି ଗାଁ ପ୍ରଭାବିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧,୧୫୪ ଜଣଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି।