ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ।

0 231

ବେଲଗୁଣ୍ଠା, ୧୦/୦୮(ପିପିଟି ):ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବେଲଗୁଣ୍ଠା ବ୍ଳକର ନେଟଙ୍ଗା ପଞ୍ଚାୟତ,ବେଣିପୋଲି ପଞ୍ଚାୟତର ବରପୋଲି ଏବଂ ଗୋବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛିଦିନ ଧରି ଲଗାତାର ବର୍ଷା ହେଉଥିବାରୁ ଚାଷଜମିରେ ବର୍ଷାଜଳ ଜମି ରହିଛି। ଦୀର୍ଘ ପ୍ରାୟ ଛଅ ଦିନ ଧରି ଜମିରୁ ପାଣି ନିଷ୍କାସନ ହୋଇପାରୁନଥିବାରୁ ତିନିଟି ପଞ୍ଚାୟତ ଅଞ୍ଚଳର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ବିଶେଷକରି ଧାନ ରୁଆ ସରିଥିବା ବିଲଗୁଡ଼ିକରେ ଅଧିକ ପାଣି ଜମି ରହିବା ଯୋଗୁଁ ଧାନ ଗଛଗୁଡ଼ିକ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ଚାଷୀମାନେ ଚାଷ ଆରମ୍ଭ ପୂର୍ବରୁ ବିହନ, ସାର, ଔଷଧ, ଜମି ପ୍ରସ୍ତୁତି ଓ ରୁଆ କାର୍ଯ୍ୟ ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନେକ ଚାଷୀ ଧାରକରଜ କରି ଚାଷ କରିଥିବା ବେଳେ ଏବେ ଲଗାଣ ବର୍ଷା ସେମାନଙ୍କ ଆଶାକୁ ମାଟିରେ ମିଶାଇବାକୁ ବସିଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ କହିବା ଅନୁଯାୟୀ, ବର୍ଷା ପରେ ଜମିରୁ ପାଣି ନିଷ୍କାସନ ପାଇଁ ପ୍ରାକୃତିକ ନାଳ, କେନାଲ ଓ ଜଳ ନିଷ୍କାସନ ପଥର ସୁବ୍ୟବସ୍ଥା ରହିବା ଆବଶ୍ୟକ। କିନ୍ତୁ ବହୁ ସ୍ଥାନରେ ଜଳ ନିଷ୍କାସନ ପଥ ଠିକ୍ ଭାବେ କାମ କରୁନଥିବାରୁ ବର୍ଷାଜଳ ଦୀର୍ଘ ସମୟ ଧରି ବିଲରେ ଜମି ରହୁଛି। ଫଳରେ ଧାନ ଗଛର ବିକାଶ ବାଧାପ୍ରାପ୍ତ ହେବା ସହ ଫସଲ ନଷ୍ଟ ହେବାର ଭୟ ଚାଷୀଙ୍କୁ ଘାରିଛି।କେତେକ ଚାଷୀ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ପୁଣି ବର୍ଷା ହୁଏ ଏବଂ ଜମିରୁ ପାଣି ନିଷ୍କାସନ ନହୁଏ, ତେବେ କ୍ଷୟକ୍ଷତି ଆହୁରି ବଢ଼ିପାରେ। ଏଥିସହିତ ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଏହି ପରିସ୍ଥିତିକୁ ନେଇ ଅନିଶ୍ଚିତତାରେ ରହିଛନ୍ତି।ଏହି ପରିସ୍ଥିତିରେ ସ୍ଥାନୀୟ ଚାଷୀମାନେ ଗଣମାଧ୍ୟମ ମାଧ୍ୟମରେ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଇରିଗେସନ୍ ବିଭାଗ ଓ ଡ୍ୟାମ୍/କେନାଲ ବିଭାଗ ତୁରନ୍ତ ଅଞ୍ଚଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଆବଶ୍ୟକ ସ୍ଥାନରେ କେନାଲ ଓ ନାଳ ସଫା କରିବା ସହ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବା ସମସ୍ୟା ଦୂର କରିବାକୁ ମଧ୍ୟ ଚାଷୀମାନେ ଅନୁରୋଧ କରିଛନ୍ତି।

ଏଥିସହିତ କ୍ଷତିଗ୍ରସ୍ତ ଚାଷଜମିର ସରକାରୀ ସ୍ତରରେ ତୁରନ୍ତ ଆକଳନ କରାଯାଇ ଆବଶ୍ୟକ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ମଧ୍ୟ ଦାବି ଉଠିଛି। ବର୍ତ୍ତମାନ ଚାଷୀଙ୍କ ଏକମାତ୍ର ଆଶା ହେଉଛି ଜମିରୁ ଶୀଘ୍ର ପାଣି ନିଷ୍କାସନ ହୋଇ ଧାନ ଫସଲ ରକ୍ଷା ପାଇବ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.