ବ୍ରହ୍ମପୁର,୧୮/୦୮(ପିପିଟି):ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ବ୍ରହ୍ମପୁର ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକ ରଞ୍ଜନୀ’ ଆୟୋଜିତ ହେଉଛି । ଏହି ଲୋକନାଟକ ମହୋତ୍ସବ ଅଗଷ୍ଟ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ ବିଶିଷ୍ଟ ପ୍ରହ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଜଗଦୀଶ ପାଣିଗ୍ରାହୀ, ନାଟ୍ୟଶ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନିରଞ୍ଜନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକନାଟକ ମହୋତ୍ସବ ‘ଲୋକ ରଞ୍ଜନୀ’କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ ।
ନିଜର ଅଭିଭାଷଣରେ ଅତିଥିମାନେ ଗଞ୍ଜାମ ଜିଲ୍ଲାର ସମୃଦ୍ଧ ନାଟ୍ୟ ପରମ୍ପରା ଓ ଲୋକ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।ଏଥିସହ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ନାଟକର ବହୁଳ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ ।
ଆଜି ଉଦ୍ଘାଟନୀ ସନ୍ଧ୍ୟାରେ ଗୋକୁଳାନନ୍ଦ ପ୍ରଧାନ ଓ ସାଥୀ କଳାକାର ‘ପ୍ରହ୍ଲାଦ ନାଟକ’, ପ୍ରଶାନ୍ତ ପ୍ରଧାନ ଓ ସାଥୀ କଳାକାର ‘କୃଷ୍ଣଲୀଳା’ ଏବଂ ସାଇମନ ବିଡ଼ିକା ଓ ସାଥୀ କଳାକାରମାନେ ‘ଦେଶିଆ ନାଟକ’ ପରିବେଷଣ କରିଥିଲେ ।