ରାଜ୍ୟରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି: ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ।

0 5

ଭୁବନେଶ୍ୱର, ୩୦/୦୭(ପିପିଟି):ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଡଃ ମହାପାତ୍ର କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ କେତେକ ସହରାଞ୍ଚଳରେ ସ୍ୱାଭାବିକ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବାରୁ ଜଳବନ୍ଦୀ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀ ୨୪ ଘଣ୍ଟିଆ ଆଲର୍ଟରେ ରହିବା ସହ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ବିଭାଗୀୟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ବିଭିନ୍ନ ସହରାଞ୍ଚଳର ସ୍ଥିତିକୁ ନିୟମିତ ମନିଟରିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପଠାଯାଉଛି ।

ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପମ୍ପସେଟ୍ ନିୟୋଜନ କରି ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ କରାଯାଉଛି । ସହରାଞ୍ଚଳର ମୁଖ୍ୟ ରାସ୍ତା, ଆବାସିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜଳମଗ୍ନ ସ୍ଥାନରୁ ଯଥାଶୀଘ୍ର ପାଣି ହଟାଇବା ପାଇଁ ୟୁ ଏଲ୍ ବି ଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ନିୟୋଜନ କରିବାକୁ କୁହାଯାଇଛି ।

ଏଥିସହ ଡ୍ରେନ୍, କଲଭର୍ଟ ଓ ଜଳ ନିଷ୍କାସନ ପଥରେ ଯେଉଁଠାରେ ବାଧା ସୃଷ୍ଟି ହୋଇଛି, ସେଗୁଡ଼ିକୁ ତୁରନ୍ତ ସଫା କରିବା ଏବଂ ଜଳ ପ୍ରବାହକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ସହ ଆଲୋକ ବ୍ୟବସ୍ଥା କରାଯାଉଛି । ଜନସାଧାରଣଙ୍କୁ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ୟୁ ଏଲ୍ ବି ଗୁଡ଼ିକୁ ସଜାଗ ରଖାଯାଇଛି ।

ଆବଶ୍ୟକ ସ୍ଥଳରେ ବିପଦସଙ୍କୁଳ ଓ ଅଧିକ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖାଯାଉଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଯାଉଛି ।

ପ୍ରତିବର୍ଷ ପ୍ରବଳ ବର୍ଷା ସମୟରେ କେତେକ ସହରାଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ସମସ୍ତ ୟୁ ଏଲ୍ ବି ପାଇଁ ଏକ ସୁଦୃଢ଼ ‘ଷ୍ଟ୍ରଙ୍ଗ୍ ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯିବ ।

ଏହି ମାଷ୍ଟର ପ୍ଲାନ୍‌ରେ ସହରାଞ୍ଚଳର ପ୍ରାକୃତିକ ଜଳ ପ୍ରବାହ, ଡ୍ରେନେଜ୍ ନେଟୱର୍କ, ଜଳ ଧାରଣ କ୍ଷମତା, ଅଧିକ ବର୍ଷା ସମୟରେ ଜଳ ପ୍ରବାହର ଚାପ, ନିଷ୍କାସନ ପଥ ଏବଂ ଭବିଷ୍ୟତର ସହରୀକରଣକୁ ବିଚାରକୁ ନିଆଯିବ । ଏହା ଆଧାରରେ ଆବଶ୍ୟକ ଡ୍ରେନ୍ ନିର୍ମାଣ, ପୁନରୁଦ୍ଧାର, ସମ୍ପ୍ରସାରଣ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପ୍ରକଳ୍ପ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ।

ଏହି ପଦକ୍ଷେପର ଲକ୍ଷ୍ୟ କେବଳ ବର୍ଷା ସମୟରେ ଜଳ ନିଷ୍କାସନ କରିବା ନୁହେଁ; ବରଂ ଭବିଷ୍ୟତରେ ସହରାଞ୍ଚଳକୁ ଅଧିକ ବନ୍ୟା-ପ୍ରତିରୋଧୀ ଓ ଜଳ ନିଷ୍କାସନ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଗଢ଼ି ତୋଳିବା ।

ରାଜ୍ୟ ସରକାର ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ଚ୍ୟାଲେଞ୍ଜିଂ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ସହିତ ଦୀର୍ଘମିଆଦୀ ଓ ସ୍ଥାୟୀ ସମାଧାନ ଉପରେ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଡଃ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.