ମାଲକାନଗିରି,୨୭/୦୬(ପିପିଟି) ଆଜି ପବିତ୍ର ରଥ ଯାତ୍ରା। ପତିତ ପାବନ ଶ୍ରୀଜଗନ୍ନାଥଙ୍କୁ ରଥରେ ଦର୍ଶନ ପାଇଁ ଭକ୍ତ ବୃନ୍ଦଙ୍କ ସମାଗମ ଦେଖିବାକୁ ମିଳୁଛି। ହାତରେ ନଡ଼ିଆ, କଦଳୀ, ଫୁଲ,ତୁଳସୀ ମାଳା। ସମସ୍ତ ଙ୍କ ମନରେ ଭକ୍ତିଭାବ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୁଣ୍ୟ ଫଳ ପ୍ରାପ୍ତି ହୁଏ। ଏହି ବିଶ୍ବାସ ନେଇ ବିଶ୍ବ ନିୟନ୍ତାଙ୍କ ସମୀପରେ ଆଜି ଭକ୍ତ ମାନେ ରଥ ନିକଟରେ ପ୍ରବଳ ଭିଡ ଜମାଇଥାନ୍ତି। ଆଜି ମାଲକାନଗିରି ସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିର ତରଫରୁ ପବିତ୍ର ରଥ ଯାତ୍ର ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳ ୫.୩୦ରେ ଶ୍ରୀ ଜୀଉମାନଙ୍କ ସମୀପରେ କର୍ପୁର ଆଳତୀ ଓ ବେଶ ମଇଲମ,୬.୦୦ ଟାରେ ବାଳ ଭୋଗ,୬.୩୦ରେ ମଙ୍ଗଳ ଆଳତି,୭.୦୦ଟାରେ ବଲ୍ଲଭ ଭୋଗ,୧୨.୦୦ଟାରେ ଅନ୍ନ ଭୋଗ,୨.୩୦ରେ ପହଣ୍ଡି ଆରମ୍ଭ,୩.୦୦ଟାରେ ମାଲକାନଗିରି ଜିଲ୍ଲାପାଳ ଈଶ୍ୱର ଆଶିଷ ପାଟିଲ ରାଜା ବେଶରେ ରଥରେ ଛେରାପହଁରା କରିଥିଲେ। ଅପରାହ୍ନ ୪.୦୦ଟାରେ ରାଜ ଭୋଗ ପ୍ରଦାନ କରାଯାଇଥିଲା। ସେହିଭଳି ୪.୩୦ରେ ଭକ୍ତ ମାନଙ୍କ ଦ୍ବାରା ରଥ ଟଣା କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇ ସନ୍ଧ୍ୟା ୭.୦୦ ସମୟରେ ସଂପନ୍ନ ହୋଇଥିଲା। ପରେ ରଥାରୁଢ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହମାନଙ୍କୁ ଅବତରଣ କରାଯାଇ ମାଉସୀ ମା ମନ୍ଦିରକୁ ବିଜେ କରାଯାଇଥିଲା।ରାଜପୁରୋହିତ ଭାବେ ବିନାୟକ ସତପଥୀ ଯୋଗ ଦେଇ ରଥ ଉପରେ ମନ୍ତ୍ର ପାଠ ସହିତ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟ ପୂଜକ ଭାବେ ସନ୍ତୋଷ ନନ୍ଦ,ସଚିନ ନନ୍ଦ, ସେବାୟତ ଭାବେ ପ୍ରଫୁଲ୍ଲ ପଣ୍ଡା, ବ୍ରଜକିଶୋର ପାଢି ,ବାଲାରାଜୁ ପାଢି, ନିରଞ୍ଜନ ପଣ୍ଡା,ପେଣ୍ଡ୍ରା ପ୍ରସାଦ ପଣ୍ଡା, ଦିବାକର ପାଳ,ସୀମାଞ୍ଚଳ ପଣ୍ଡା ପ୍ରମୋଦ ପଣ୍ଡା,ମୂରଲୀ ରଥ ଓ ସୀମାଞ୍ଚଳ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସେବାୟତମାନେ ଯୋଗ ଦେଇ ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳର ସହିତ ସଂପନ୍ନ କରିଥିଲେ।ଏହି ରଥ ଯାତ୍ରାରେ ପ୍ରାୟ ୨୦ ହଜାର ଭକ୍ତ ଯୋଗ ଦେଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)