ମାଲକାନଗିରି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ।

0 190

ମାଲକାନଗିରି,୦୬/୦୭(ପିପିଟି):ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ,ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଶିବିରରେ ମୋଟ ୭୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଟି ବ୍ୟକ୍ତିଗତ ଏବଂ ୫୬ଟି ସାମୁଦାୟିକ ସମସ୍ୟା ଭିତ୍ତିକ ରହିଥିଲା।ଅଭିଯୋଗ ଶୁଣାଣି ସହ ଆଜି ମାଲକାନଗିରି ଜିଲ୍ଲାପାଳ ମାର୍କାପାଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ନିକଟରୁ ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ମାର୍କାପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ‘ପ୍ରଗତି ପଥେ ଯୁବ ମାଲକାନଗିରି’ କେନ୍ଦ୍ରରେ ପହଞ୍ଚି ସେଠାକାର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରିଥିଲେ।
ଏହା ସହିତ ସେ ପୋଡ଼ଭଟ୍ଟ।ସ୍ଥିତ ଓଡ଼ିଶା ଜୀବିକା ମିଶନ ଅଧୀନରେ ଚାଲିଥିବା ଗୁରୁପ୍ରିୟା ସିଲେଇ ଉତ୍ପାଦକ ଗୋଷ୍ଠୀ କେନ୍ଦ୍ର ବୁଲିଦେଖିବା ସହ ସେଠାକାର ଆତ୍ମନିର୍ଭରଶୀଳ ମା’ମାନଙ୍କ ସହ ସିଧାସଳଖ ଭାବବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହାପରେ କଉଡ଼ିଗୁଡ଼ାର ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ତଥା ସିନ୍ଦ୍ରିମାଲ ସ୍କୁଲର ଭିତ୍ତିଭୂମି ଓ ପାନୀୟ ଜଳ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ସୁବିଧା ଅସୁବିଧାକୁ ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.