ମାଲକାନଗିରି, ୧୫/୦୭(ପିପିଟି):ଆଗାମୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ଆସ୍ପାୟାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରି-ବେସଲାଇନ୍ ଟେଷ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ଜିଲ୍ଲାର ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବୋର୍ଡ ପରୀକ୍ଷା ପୂର୍ବରୁ ପିଲାମାନଙ୍କର ଶିକ୍ଷାଗତ ସ୍ତର ଓ ଦୁର୍ବଳତାକୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଏବଂ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତି ଛାତ୍ରଛାତ୍ରୀଙ୍କର ବିଷୟଗତ ଜ୍ଞାନ ଯାଞ୍ଚ କରିବା, ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିକାରମୂଳକ କ୍ଲାସର ବ୍ୟବସ୍ଥା କରିବା ଏବଂ ଜିଲ୍ଲାରେ ବୋର୍ଡ ପରୀକ୍ଷା ଫଳାଫଳର ଉନ୍ନତି କରି ଶତପ୍ରତିଶତ (୧୦୦%) ପାସ୍ ହାର ସହ ଉତ୍କୃଷ୍ଟ ସଫଳତା ଆଣିବା।ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ଶେଷ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସି , ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ସର୍ବାଙ୍ଗୀନ ତଦାରଖ କରିଥିଲେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟେକ ଛାତ୍ରଙ୍କର ଏକ ସ୍ୱତନ୍ତ୍ର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ଏବଂ ଏହା ବିଷୟରେ ସେମାନଙ୍କ ଅଭିଭାବକମାନଙ୍କୁ ଅବଗତ କରାଯିବ। ଏହା ସହିତ, ଏହି ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ଆଗାମୀ ଦିନରେ ସ୍ୱତନ୍ତ୍ର ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ, ଆସ୍ପାୟାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ଛାତ୍ରଛାତ୍ରୀଙ୍କୁ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯିବ। ଏହା ମାଲକାନଗିରି ଜିଲ୍ଲାର ଶିକ୍ଷା ଗୁଣବତ୍ତା ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)