ମାଲକାନଗିରି,୦୨/୦୯(ପିପିଟି):ଦିନେ ମେଲେରିଆ ମୁକ୍ତ ମାଲକାନଗିରି ଭାବରେ ସୁନାମ ଅର୍ଜନ କରିଥିବା ଏହି ଜିଲ୍ଲା ପୁନଶ୍ଚ ମେଲେରିଆ କବଳରେ କାୟା ବିସ୍ତାର କରିଥିବା ପରିସ୍ଥିତିକୁ ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ଜୁନ୍ ସୁଦ୍ଧା ଜିଲ୍ଲାରେ ୪,୪୨୩ ଜଣ ମେଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ମାସରେ ଆହୁରି ୨,୮୧୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହି ବୃଦ୍ଧିକୁ ନେଇ ରାଜ୍ୟ ସ୍ତରରେ ସତର୍କତା ବଢ଼ାଯାଇଛି। ମାଲକାନଗିରିର ମ୍ୟାଲରିଆ ସ୍ଥିତି ରାଜ୍ୟରେ ଉଦବେଗ ସୃଷ୍ଟି କରିଛି। ଭୁବନେଶ୍ୱରର ଖାରବେଳ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ମାଲକାନଗିରି ର ଏହି ସ୍ଥିତିକୁ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର କମିଶନର-ତଥା-ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲାର ମ୍ୟାଲେରିଆ ସ୍ଥିତିର ସମୀକ୍ଷା ପରେ ଅତିରିକ୍ତ ନିର୍ଦ୍ଦେଶକ (ଭେକ୍ଟର ବୋର୍ନ ଡିଜିଜ୍)ଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ଟିମ୍କୁ ମାଲକାନଗିରି ଜିଲ୍ଲାକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଟିମ୍ ଜିଲ୍ଲାର ବିଭିନ୍ନ ବ୍ଲକ୍, ମେଲେରିଆ ପ୍ରଭାବିତ ଅଞ୍ଚଳ,ବିଶେଷକରି ସ୍ୱାଭିମାନ ଅଞ୍ଚଳ ଓ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥିତି ପରଖିବ। ରୋଗୀ ଚିହ୍ନଟ, ଚିକିତ୍ସା, ମଶାରି ବଣ୍ଟନ, ରକ୍ତ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବ୍ଲକ୍ ସ୍ତରୀୟ ସମୀକ୍ଷା କରାଯିବ। ତଦନ୍ତ ପରେ ସ୍ୱାସ୍ଥ୍ୟ ବିଭାଗକୁ ବିସ୍ତୃତ ରିପୋର୍ଟ ଦିଆଯିବ। ୨୦୧୬ରେ ଜିଲ୍ଲାରେ ୪୦ ହଜାରରୁ ଅଧିକ ମେଲେରିଆ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା କ୍ରମାଗତ ଭାବେ ସଂଖ୍ୟା ହ୍ରାସ ପାଇଥିଲା। ୨୦୨୪ ପରଠାରୁ ପୁଣି ସଂକ୍ରମଣ ବଢ଼ିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷକରି ବର୍ଷା ଋତୁରେ ମଶାଙ୍କ ବଂଶବୃଦ୍ଧି ବଢ଼ୁଥିବାରୁ ଜୁନ୍ରୁ ଅକ୍ଟୋବର ମଧ୍ୟରେ ମାଲେରିଆ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି। ମେଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଜାରି ରହିଥିବା ବର୍ତ୍ତମାନ ସୁଧା ଜିଲ୍ଲାରେ ୪ ଲକ୍ଷ ୧୫ ହଜାର ମଶାରୀ ବଣ୍ଟନ ହୋଇସାରିଥିବା ନେଇ ଜିଲ୍ଲା ଭେକ୍ଟର ବାହିତ ରୋଗ ଜିଲ୍ଲା ଅଧିକାରୀ ଡ. ସୌଭାଗ୍ୟ ରଞ୍ଜନ ରଣସିଙ୍ଗ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଲେରିଆ ଦମନ କାର୍ଯ୍ୟକ୍ରମ ପ୍ରାୟ ସଫଳତାର ସହ ପୂରଣ ହୋଇଛି। ରୋଗୀ ଚିହ୍ନଟ ଓ ଚିକିତ୍ସା ସହ ମେନଲେରିଆ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ଆମେ ସମସ୍ତ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ସହ ଅଧିକ ପରିମାଣର ରକ୍ତ ନମୁନା ଯାଞ୍ଚ ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢିଥିବା ଜାଣିବାକୁ ପାଇଥିଲୁ, ବର୍ତ୍ତମାନ ଏହାର ନିରାକରଣ ଦିଗରେ ଆମେ ସମ୍ପୂର୍ଣ ପଦକ୍ଷେପ ନେଇଛୁ। ଜିଲ୍ଲାରେ ୩ ଜଣ ମ୍ୟାଲେରିଆ ଜ୍ଵରରେ ଚଳିତ ବର୍ଷ ମୃତ୍ୟୁ ବରଣ କରିଛନ୍ତି, ଆଗାମୀ ଦିନରେ ଏହାକୁ କିପରି ଶୂନ୍ୟ କରାଯିବ ତାହାକୁ ନେଇ ଆମେ ପଦକ୍ଷେପ ନେଉଛୁ ବୋଲି ଡ. ରଣସିଙ୍ଗ ପ୍ରକାଶ କରିଛନ୍ତି। ଆସନ୍ତା ୭ ତାରିଖରେ ରାଜ୍ୟ ସ୍ତରୀୟ ଟିମ ଜିଲ୍ଲା ଗସ୍ତରେ ଆସିବାର ସମ୍ଭାବନା ରହିଛି । ପୁଣି ମାଲକାନଗିରିକରୁ ମେଲେରିଆ ମୁକ୍ତ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)