ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

0 0

ମାଲକାନଗିରି, ୧୫/୦୮(ପିପିଟି):ମାଲକାନଗିରି ଡିଏନ୍‌କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଗୁଡ଼ିକୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷିତ ଦୁଇଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବକ-ଯୁବତୀଙ୍କୁ ମନ୍ତ୍ରୀ ଲାପଟପ୍ ବଣ୍ଟନ କରିଥିଲେ। ସେହିପରି କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତକୁ କ୍ରୀଡ଼ା ସାମଗ୍ରୀ ବିତରଣ କରାଯାଇଥିଲା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜଙ୍ଗଲ ବିଭାଗର କ୍ୱିକ୍ ରେସ୍କ୍ୟୁ ଟିମ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଡିଏନ୍‌କେ ପଡ଼ିଆଠାରେ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁଙ୍କ ପାଇଁ କ୍ରେଚ୍, ଆଇଟିଡିଏଠାରେ କୋରାପୁଟ କଫି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ, ଚାଲାଣଗୁଡ଼ା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ୬୦ ଶଯ୍ୟା ବିଶିଷ୍ଟ ହୋଷ୍ଟେଲ, ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ବସ୍ତ୍ର ଉପହାର କେନ୍ଦ୍ର ଏବଂ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ମନ୍ଦିରର ଶୁଭ ଉଦ୍‌ଘାଟନ କରିଥିଲେ। ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ ଦଶନ୍ଧି ଧରି ଓଡ଼ିଶାର ଶେଷ ବିନ୍ଦୁ ଭାବେ ପରିଚିତ ମାଲକାନଗିରିର ମୁଗି ପଏଣ୍ଟ ଆଜି ବିକାଶର ପ୍ରବାହରେ ରାଜ୍ୟର ପ୍ରବେଶ ପଥ ସାଜିବା ସହ ସମଗ୍ର ଦେଶ ପାଇଁ ପ୍ରଗତିର ବାର୍ତ୍ତାବହ ସାଜିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଷୀ, ମହିଳା, ଆଦିବାସୀ ଓ ଯୁବପିଢ଼ିଙ୍କ ପ୍ରଗତିକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏକଦା ନକ୍ସଲ ପ୍ରଭାବିତ ଥିବା ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ର ସ୍ଥାପନ ଏହାର ଜ୍ୱଳନ୍ତ ଉଦାହରଣ। ଓଡ଼ିଶାକୁ ଏକ ଆଗୁଆ ରାଜ୍ୟରେ ପରିଣତ କରିବା ପାଇଁ ସେ ଛାତ୍ର, ମହିଳା ଓ ଯୁବପିଢ଼ିଙ୍କୁ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି, ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ-ଜିଲ୍ଲାପାଳ, ପିଏ ଆଇଟିଡିଏ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଓ ସରୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଅପରାହ୍ନରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଜିଲ୍ଲାପାଳ ଏକାଦଶ, ଏସପି ଏକାଦଶ, ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ଆଇନଜୀବୀ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ର ଆୟୋଜନ କରାଯାଇଥିଲା ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.