ମାଲକାନଗିରି,୨୮/୦୭(ପିପିଟି):ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ନୋଟିସ୍ ଏବଂ ଶୁଣାଣି ପର୍ଯ୍ୟାୟର ସମୀକ୍ଷା ପାଇଁ ସରକାରଙ୍କ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ସେ ଜିଲ୍ଲାର କ୍ଷେତ୍ର ସ୍ତରୀୟ କାର୍ଯ୍ୟକଳାପର ଉଚ୍ଚସ୍ତରୀୟ ଅନୁଧ୍ୟାନ କରିବା ସହ ଏସ ଆଇଆର ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶେଷ କରି ଜିଲ୍ଲାରେ ନୋଟିସ୍ ପ୍ରସ୍ତୁତି, ବଣ୍ଟନ, ଶୁଣାଣି ଏବଂ ବିଭିନ୍ନ ମାମଲା ଗୁଡ଼ିକର ତ୍ୱରିତ ନିଷ୍ପତ୍ତିର ଅଗ୍ରଗତି ନେଇ ସେ ମାଲକାନଗିରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ବ୍ୟାପକ ଆଲୋଚନା କରିଛନ୍ତି। ଏହା ସହିତ ସେ ଜିଲ୍ଲାର ମନୋନୀତ ଏଇଆରଓ କାର୍ଯ୍ୟାଳୟ ଗୁଡ଼ିକ ପରିଦର୍ଶନ କରି ନୋଟିସ୍ ଏବଂ ଶୁଣାଣି ପର୍ଯ୍ୟାୟର ଅନୁଧ୍ୟାନ କରିବା ସହ ସେଠାରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ , ସୁପରଭାଇଜର ଏବଂ ଅନ୍ୟାନ୍ୟ ନିର୍ବାଚନ କର୍ମଚାରୀମାନଙ୍କ ସହ ଏସଆଇଆର ପ୍ରକ୍ରିୟାର ସଫଳ ତଥା ସ୍ୱଚ୍ଛ କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି।
ଏହି କ୍ରମରେ ଉପସଚିବ ଶ୍ରୀ ପାତ୍ର ଖଇରପୁଟ ତହସିଲ କାର୍ଯ୍ୟାଳୟ ଗସ୍ତ କରି ଏସଆଇଆର-୨୦୨୬ ଅଧୀନରେ ଚାଲିଥିବା ଦାବି ଓ ଆପତ୍ତି ନୋଟିସ୍ର ଶୁଣାଣି ପ୍ରକ୍ରିୟାର କ୍ଷେତ୍ର ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି ପରିଦର୍ଶନ ସମୟରେ ୧୪୬-ମାଲକାନଗିରି ବିଧାନସଭା ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ, ଖଇରପୁଟର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଖଇରପୁଟର ଏଇଆରଓ
ତଥା ତହସିଲଦାର ତାଙ୍କ ସହ ଉପସ୍ଥିତ ରହି ପ୍ରକ୍ରିୟା ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ଉପସଚିବ ସ୍ଥାନୀୟ ମୁଦୁଲିପଡ଼ା ଅଞ୍ଚଳ ଗସ୍ତ କରି ସେଠାକାର ଭୋଟରମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ନାଗରିକମାନଙ୍କ ସହ ଏସଆଇଆର-୨୦୨୬ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରଶାସନିକ କିମ୍ବା ବୈଷୟିକ ଆହ୍ୱାନ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଏହାର ଉଚିତ ପ୍ରତିକାର ପାଇଁ ଆଶ୍ୱାସନା ଦେଇଛନ୍ତି।
ଏହି ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଉପସଚିବ ଶ୍ରୀ ପାତ୍ର ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଏସଆଇଆର ପ୍ରକ୍ରିୟାରେ ସମସ୍ତ ନୋଟିସ୍ର ଶୁଣାଣି ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ, ତାହା ନିଶ୍ଚିତ କରାଯାଉ। କୌଣସି ବି ପରିସ୍ଥିତିରେ ଯେପରି ଜଣେ ବି ସାଧାରଣ ଯୋଗ୍ୟ ନାଗରିକ ନିଜର ଗଣତାନ୍ତ୍ରିକ ଭୋଟ୍ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଏବଂ ପ୍ରଶାସନିକ ସ୍ତରରେ ଜନସାଧାରଣ କିମ୍ବା ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧାମାନଙ୍କୁ ଯେପରି କୌଣସି ଅଯଥା ହଇରାଣ ବା ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପ୍ରତି ସମସ୍ତ ନିର୍ବାଚନ ଅଧିକାରୀ ଅତି ସମ୍ବେଦନଶୀଳତାର ସହ କାର୍ଯ୍ୟ କରନ୍ତୁ। ଏହି କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ସହକାରୀ ଜିଲ୍ଲାପାଳ ନିର୍ବାଚନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଲକାନଗିରି , ନିର୍ବାହୀ ଅଧିକାରୀ ଏବଂ ଡେପୁଟି କଲେକ୍ଟର ସୀତଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସରକାରୀ ପ୍ରକ୍ରିୟାର ସୁପରିଚାଳନାରେ ସହଯୋଗ କରିଥିଲେ।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)