ମାଟିର ବନ୍ଧନ

0 0

ଏ ମାଟିରେ ମୋର ହୋଇଛି ଭୂମିଷ୍ଠ
ଏ ମାଟି ଜନନୀ ମୋର……
ଏ ମାଟି ମହାନ କରୁଛି ବନ୍ଦନ
ଏ ମାଟି ପ୍ରାଣ ଆଧାର…….!!
ଏ ମାଟିରେ ବାଲ୍ୟ କୈଶୋର ଯୌବନ
କଟିଛି ବାର୍ଦ୍ଧକ୍ୟ ମୋର…..
ଜନମ ଏଇଠି ମରଣ ଏଇଠି
ଏଇତ ସରଗ ପୁର…..!!
ଏମାଟିରେ ଗଢି କୁଡିଆ ଖଣ୍ଡିକ
ମୁଣ୍ଡ ଗୁଞ୍ଜିଅଛି ମୁହିଁ….
ଏ ମାଟି କର୍ଷଣେ ଉପୁଜାଇ ଶସ୍ୟ
ପେଟ ପାଳୁଅଛି ତହିଁ…..!!
ଏ ମାଟି ରେ ଅଛି ପାଣି ଓ ପବନ
ଜୀବନ ଧାରଣ ପାଇଁ…..
ଏ ମାଟି ମହତ୍ତ୍ୱ କି ଗୁଣ ଗାଇବି
ବର୍ଣ୍ଣିବାକୁ ଭାଷା ନାହିଁ……!!
ଏ ମାଟିରେ ଅଛି ସବୁଜ ବନାନୀ
ନଭଶ୍ଚୁମ୍ବି ପରବତ…..
କୁଳୁକୁଳୁ ନାଦେ ବହୁଛି ନିର୍ଝର
ଚିରସ୍ରୋତା ଯେ ସରିତ…..!!
ଏ ମାଟିକୁ ମେଘ ଚୁମ୍ବେ ବାରଂବାର
ଶୀତ ଗ୍ରୀଷମର ଋତୁ….
ସୂର୍ଯ୍ୟ ଚନ୍ଦ୍ର ତାରା ଦିଅନ୍ତି ଦର୍ଶନ
ଏ ମାଟି ବନ୍ଧନ ହେତୁ…..!!
ଜନମ ମରଣ ବନ୍ଧନ ଏ ମାଟି
ଏ ମାଟି ପାଇଁ ଶହୀଦ…..
ହୋଇଛନ୍ତି କେତେ ବୀର ଯୋଦ୍ଧା ଗଣ
ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ…..!!

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.