ମାଲକାନଗିରି, ୧୫/୦୬(ପିପିଟି):ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଲକାନଗିରି ଡିଭିଏଫ ଜବାନଙ୍କୁ ବଡ଼ ଧରଣର ସଫଳତା ପ୍ରାପ୍ତ ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ବିନୋଦ ପାଟିଲ ପ୍ରକାଶ କରିଛନ୍ତି ଯେ,ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରେ ଏକ ବିଶାଳ ମାଓ ଡମ୍ପ ଠାବ ହୋଇଥିବା ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ମାରଣାସ୍ତ୍ର ଜବତ ହୋଇଛି। ଜବତ ମାଓ ସାମଗ୍ରୀ ମଧ୍ୟରେ ୩ଟି କାର୍ବାଇନ ବନ୍ଧୁକ, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ୨୦ଟି ରକେଟ୍ ଲଞ୍ଚର, ୩ଟି ଗ୍ରେନେଡ୍ ଲଞ୍ଚର, ୨ଟି ଲ୍ୟାଣ୍ଡମାଇନ୍, ବନ୍ଧୁକ ତିଆରି ଉପକରଣ ସହିତ ସୋଲାର ପ୍ୟାନେଲ୍, ଲେଥ୍ ଏବଂ ୱେଲ୍ଡିଂ ମେସିନ୍ ଅନ୍ତର୍ଭୁକ୍ତ । ମାଲକାନଗିରି ଡିଭିଏଫ୍ ଜବାନଙ୍କ ସର୍ଚ୍ଚ ଅପରେସନ ସମୟରେ ମାଲକାନଗିରି ଏସପି ବିନୋଦ ପାଟିଲ୍ ଏଚ୍ ଏହି ସଫଳତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାକୁ ମାଓବାଦୀ ମୁକ୍ତ ଅଞ୍ଚଳ ଭେଦରେ ଘୋଷଣା କରାଯାଇଥିଲେ ମଧ୍ୟ ବିଭିନ୍ନ ଜଙ୍ଗଲରେ ଅନେକ ମାଓ ଡମ୍ପ ରହିଛି, ଏହି ମାଓ ଡମ୍ପ ଗୁଡ଼ିକ ରେ ବିପୁଳ ପରିମାଣରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଗୋପନୀୟ ଭାବେ ରଖାଯାଇଛି। ବର୍ତ୍ତମାନ ଡିଭିଏଫ୍ ଜବାନମାନେ ବିଭିନ୍ନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ବେଳେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ମାଓବାଦୀଙ୍କ ଡମ୍ଫକୁ ଅନୁସନ୍ଧାନ କରାଯାଉଥିବା ଏସପି ଶ୍ରୀ ପାଟିଲ ସୂଚନା ପ୍ରଦାନ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ଅତିରିକ୍ତ ଏସପି ରାଜ କିଶୋର ଦାଶ ଓ ଡିଭିଏଫ ବାନମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)