ବ୍ରହ୍ମପୁର,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଏନ. ଆଇ. ଏସ. ଟି ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ ଆୟୋଜିତ ହୋଇଛି । ପୂର୍ବାହ୍ନରେ ପାଞ୍ଚଟି ଜିଲ୍ଲା ଯଥା ଗଞ୍ଜାମ,ଗଜପତି,ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧର ୫୭ଟି ବ୍ଲକ୍ର ବ୍ଲକ୍ ଲେଭେଲ୍ ଫେଡେରେସନର ସଦସ୍ୟା ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ, ଉଦ୍ୟୋଗ ବିକାଶ ଓ ସ୍ଵକୀୟ ଆବଶ୍ୟକତା ସମ୍ପର୍କରେ ମତ ବିନିମୟ କରିଥିଲେ ।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲଏଫ୍ ସଦସ୍ୟା ମାନଙ୍କ ଅନୁଭୂତି, ସଫଳତା ଏବଂ ପରାମର୍ଶ ଶୁଣିବା ସହ ‘ସୁଭଦ୍ରା ଶକ୍ତି’ ଅଭିଯାନକୁ ଅଧିକ ପ୍ରଭାବଶାଳୀ ଓ ଲୋକାଭିମୁଖୀ କରାଯାଇପାରିବ ସେ ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ ।
ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାର ଏକ ସୁଦୂରପ୍ରସାରୀ ଭିଜନ ପ୍ରସ୍ତୁତ କରୁଛନ୍ତି । ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉଲ୍ଲେଖ କରିଥିଲେ ।
ରାଜ୍ୟ ସରକାର ‘ଲକ୍ଷପତି ଦିଦି’ରୁ ଆଗକୁ ବଢ଼ି ‘ପଞ୍ଚ ଲକ୍ଷପତି ଦିଦି’, ‘ମହା ଲକ୍ଷପତି ଦିଦି’ ଓ ମହିଳା ଉଦ୍ୟୋଗପତି ସୃଷ୍ଟି ଦିଗରେ କାର୍ଯ୍ୟ କରୁଛନ୍ତି । ମହିଳାଙ୍କ ଉଦ୍ୟୋଗର ସହଜ ପଞ୍ଜିକରଣ, ଆଇଆଇଟି ଭୁବନେଶ୍ୱର ମିଳିତ ଅନୁକୁଲ୍ୟରେ ଇନ୍କ୍ୟୁବେସନ୍ ସେଣ୍ଟର ସ୍ଥାପନ, ନୂତନ ଉତ୍ପାଦର ପ୍ରୋସେସ୍ ସାର୍ଟିଫିକେସନ୍ ଓ ପେଟେଣ୍ଟ ବ୍ୟବସ୍ଥା, ଇଣ୍ଟିଗ୍ରେଟେଡ୍ ଫାର୍ମିଂ କ୍ଲଷ୍ଟର, ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରେନ୍ୟୁରସିପ୍ ପ୍ରୋଗ୍ରାମ ଏବଂ ମହିଳା କିଷାନ ସଶକ୍ତିକରଣ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତି । କାରଣ ସରକାର ଜାଣିଛନ୍ତି ମହିଳା ମାନେ ସଶକ୍ତ ହେଲେ ପରିବାର- ଗ୍ରାମ- ଜିଲ୍ଲା -ବିକଶିତ ରାଜ୍ୟ -ବିକଶିତ ଦେଶ ସ୍ବପ୍ନ ସାକାର ହୋଇପାରିବ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ ।
ଗଞ୍ଜାମ ଜିଲ୍ଲା ପ୍ରଶାସନର ”ସମ୍ପୂର୍ଣ୍ଣା ଶ୍ରୀ ମିଶନ” ଅଧୀନରେ ଗଞ୍ଜାମ ବ୍ଲକର ସୁବଳୟା ଗ୍ରାମପଞ୍ଚାୟତର ରିନା ଜେନାଙ୍କୁ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଅଧୀନରେ ୨ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ପାଳିବନ୍ଧ ଗ୍ରାମପଞ୍ଚାୟତର ପିପିନା ବେହେରା ଏବଂ କଇଁଚପୁର ଗ୍ରାମପଞ୍ଚାୟତର କେ. ଗୁଣମା ରେଡ୍ଡୀଙ୍କୁ ସମାନ ଯୋଜନାରେ ୧ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ପୋଲସରା ବ୍ଲକର ବେଲଗାଁ ଗ୍ରାମପଞ୍ଚାୟତର ‘ମା ତାରାତାରିଣୀ’ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଜିପି ପୋଖରୀରେ ମତ୍ସ୍ୟଚାଷ ପାଇଁ ୬ ଲକ୍ଷ ଟଙ୍କା ଏବଂ ନିମିନା ଗ୍ରାମପଞ୍ଚାୟତର ‘ଜଗନ୍ନାଥ ସ୍ୱାମୀ’ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସେହି ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କାର ବ୍ୟାଙ୍କ ଲିଙ୍କେଜ୍ ସହାୟତା ପ୍ରଦାନ କରାଯାଇଥିଲା ।
ସମ୍ମିଳନୀରେ ବିଭିନ୍ନ ବିଏଲଏଫ୍ ସଦସ୍ୟାମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ଓ ପରିଚୟପତ୍ର, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗମନାଗମନ ବ୍ୟବସ୍ଥାର ସୁଦୃଢ଼ୀକରଣ, ଅଧିକ ‘ସୁଭଦ୍ରା ଶକ୍ତି ବଜାର’ ସ୍ଥାପନ, ଉତ୍ପାଦର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର, ଛତୁ ଚାଷ ଓ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରଶିକ୍ଷଣ ଭଳି ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଓଡିଶା ଜୀବିକା ମିଶନ,ମିଶନ ଶକ୍ତି ତଥା ଓରମାସର ନିର୍ଦ୍ଦେଶିକା ଡା. ମୋନିକା ପ୍ରିୟଦର୍ଶିନୀ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ବିଏଲଏଫ୍ ସଦସ୍ୟା ଓ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-୧ର ଶକୁନ୍ତଳା ଦାସ, ବ୍ରହ୍ମପୁର-୨ର କାଜଲ ପାତ୍ର, ଖଲ୍ଲିକୋଟର ପ୍ରଣୀତା ସାହୁ, ପୋଲସରାର ସସ୍ମିତା ଦାଶ, ବୁଗୁଡ଼ାର ନୀଳେନ୍ଦ୍ରୀ ମହାପାତ୍ର, ଜଗନ୍ନାଥପ୍ରସାଦର ଆଶାରାଣୀ ସାହୁ, ଭଞ୍ଜନଗରର କମଳା ଦାସ, ବେଲଗୁଣ୍ଠାର କେ. ମମତା ପାତ୍ର, ଧରାକୋଟର ଗୀତା ପଟ୍ଟନାୟକ ଏବଂ ବେଗୁନିଆପଡ଼ାର କେ. ଉର୍ମିଳା ପାତ୍ରଙ୍କ ରାୟଗଡ଼ା ଜିଲ୍ଲାର ଗୁଣୁପୁରର ମଞ୍ଜୁଶ୍ରୀ ପଟ୍ଟନାୟକ, କନ୍ଧମାଳ ଜିଲ୍ଲାର ଫୁଲବାଣୀର ପ୍ରତିମା ସାହାଣୀ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳର ପୁଷ୍ପାଞ୍ଜଳି ମିଶ୍ର ଓ ବିଭିନ୍ନ ଜିଲ୍ଲାର ସଭାନେତ୍ରୀ,ସଭାପତି,ସମ୍ପାଦିକା ଏବଂ କାର୍ଯ୍ୟକାରିଣୀ ସଦସ୍ୟାମାନେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକଳାପ, ସଫଳତା, ସମସ୍ୟା ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିବା ସହ ପରସ୍ପର ମତବିନିମୟ କରିଥିଲେ ।
ଗଞ୍ଜାମ ଜିଲ୍ଲାରେ ୪୫,୫୬୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟରତ ଥିବା ବେଳେ ୨୧,୪୮୩ଟି ଗୋଷ୍ଠୀ ବିଭିନ୍ନ ଜୀବିକାଭିତ୍ତିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ଲିଙ୍କେଜ୍ ଲକ୍ଷ୍ୟର ୧୦୪ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ୧,୬୦,୨୭୩ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ‘ସମ୍ପୂର୍ଣ୍ଣା ଶ୍ରୀ’ ମାଧ୍ୟମରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଓ ଗାଁରେ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ସହ ଯୋଡ଼ି ଏକ ସଶକ୍ତ ମହିଳା ନେତୃତ୍ୱାଧୀନ ଗ୍ରାମୀଣ ଅର୍ଥନୀତି ଗଠନ କରିବା ଲକ୍ଷ୍ୟ ରହିଛି ।