କୋଦଳା,୦୯/୦୩(ପିପିଟି):ମହାଶିବରାତ୍ର ବା ଜାଗର ଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ସକାଳ ଠାରୁ ବିଭିନ୍ନ ଶୈବ ପୀଠରେ ଗହଳି ଚହଳି ଲାଗିରହିଥିଲା । ଏହି କ୍ରମରେ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମନ୍ଦିର ରେ ସ୍ୱତନ୍ତ୍ର ପୂଜାର୍ଚନା ସହିତ ମଙ୍ଗଳ ଆଳତୀ କାର୍ଯ୍ୟ ଶେଷ ହେବା ପରେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଥିଲା । ମନ୍ଦିର ପ୍ରଶାସନ ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳ ଏବଂ ବିଦ୍ୟୁତ ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଦିନସାରା ଭକ୍ତଙ୍କ ପୂଜାର୍ଚନା ପରେ ସନ୍ଧ୍ୟା ଆଳତୀ ପରେ ମନ୍ଦିର ଚତୁର୍ପାଶ୍ୱରେ ଭକ୍ତ ମାନେ ଦ୍ବୀପ ପ୍ରଜ୍ବଳନ କରି ଉଜାଗର ରହିଥିଲେ । ଥାନା ଅଧିକାରୀଙ୍କ ନେତୃତ୍ୱ ରେ କୋଦାଳା ପୋଲିସ ମୃତୟନ ହୋଇ ଶାନ୍ତିଶୃଙ୍ଖଳା ବଜାୟ ରଖିଥିବା ବେଳେ ପୂର୍ବରୁ ଓ ପରେ ମନ୍ଦିର ର ସମସ୍ତ ସଫେଇ କାର୍ଯ୍ୟ ଏନ୍ଏସି କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିଲା । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଗ୍ରାମବାସୀଙ୍କ ସହଯୋଗ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ କୁହୁଡିଘର ମଞ୍ଚସ୍ଥ ହୋଇଥିଲା,ଏହାକୁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ବିଧାୟିକାଙ୍କୁ ଉତ୍ସାହି ଯୁବକ ମାନଙ୍କ ଦ୍ୱାରା ମନ୍ଦିର ଗେଟ ଠାରୁ ମନ୍ଦିର ପର୍ଯ୍ୟନ୍ତ ସ୍ବାଗତ ଜଣାଇ ଆଣିଥିବା ବେଳେ ଅଞ୍ଚଳ ବାସୀଙ୍କ ଶୁଭ ମନାସି ବିଧାୟିକା ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀଙ୍କ ଶୁଭ ମନାସି ଆଶୀର୍ବାଦ ଭିକ୍ଷ୍ୟା କରିଥିଲେ । ଦଣ୍ଡିଶ୍ୱର କାଉଡିଆ ଭକ୍ତଙ୍କ ଦ୍ୱାରା ଚାହା ଓ ଥଣ୍ଡା ପାନୀୟର ବ୍ୟବସ୍ଥା ହୋଇଥିବା ବେଳେ ଭୋର ୩:୩୦ ମିନଟ ସମୟରେ ମହାଦ୍ବୀପ ଉଠିଥିଲା, ପରେ ପରେ ଭକ୍ତମାନେ ପ୍ରସାଦ ସେବନ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷ୍ୟା କରି ଫେରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)