ବହୁତ ଲୋକ ଚାଲିଗଲେଣି
ଆମେ ବି ଚାଲିଛୁ…
ସମୟ ଶେଷ ହେବା ଯାଏଁ
ଜୀବନର ଯବନିକା ପାତ ପାଇଁ
କିଛି ମୁହୂର୍ତ୍ତ ବାକି……
ଆମର ଚାଲିବାକୁ ଇଛା ନାହିଁ
ବହୁତ କ୍ଳାନ୍ତ/କିଛି ସମୟ ଅଟକି ଗଲେ
ହୁଏ ତ ଖୁସି ମିଳିପାରେ….!!
ଆମେ ଏଠି ଯୁଦ୍ଧ କରିଥିଲୁ ପରସ୍ପର
ଗୁଡ଼ାଏ ପାଇବା ଆଶାରେ
ଯୋଉମାନେ ବି ଲୁଟତରଜ କରି
ସାଉଁଟି ଥିଲେ ସ୍ଥାବର ଅବସ୍ଥାର ସମ୍ପତ୍ତି
ସେମାନେ ବି ଖାଲି ହାତରେ ଗଲେ…..!!
ତେବେ ଏତେ ଲୋଭ
ଏତେ କୃପଣ କାହିଁକି….
ଏତେ ଅହଂକାର
ଏତେ ଷଡ଼ଯନ୍ତ୍ର କାହିଁକି
ପରସ୍ପର ହଣାକଟା/ରକ୍ତପାତ କାହିଁକି
ଆସ ଶାନ୍ତିରେ ବଞ୍ଚିବା
ଯେତେ ଦିନ ଥିବା ଏଠି ସୁସମ୍ପର୍କ ଯୋଡିବା….!!
ଏ ପୃଥିବୀକୁ ଯେତେ ବାଣ୍ଟ
ଯେତେ ପଟା ପାଉତି କର
ଟଙ୍କା ଦେଇ କିଣା ବିକା କର
ପୃଥିବୀକୁ ଫରକ ପଡେନା….
ସେ ଆଗ ଯେମିତି ଥିଲା ଏବେ ବି ସେମିତି
ଘୂରେ ….ସର୍ବଦା
ସେ ଅଜୟ ଅମର
କେତେ ଜନ୍ମିଲେ/କେତେ ମରିଲେ
ଏ ପୃଥିବୀ : ସବୁରି ମୂକ ସାକ୍ଷୀ
ସବୁ ଇତିହାସ ତା’ ବକ୍ଷରେ ବିଲୁପ୍ତ…!!
ଆମେ ଗୁଡ଼ାଏ ମିଛ କୁ
ସତ ସତ ବୋଲି ପିଢ଼ି ପରେ ପିଢ଼ି ପ୍ରଚାର କରୁ
ଯାହା କି ମୂଲ୍ୟ ହିନ…..
କିଛି ପଥର ଦେହରେ
ଉତକୀର୍ଣ୍ଣ ଶିଳାଲେଖ/ଭାସ୍କର୍ଯ୍ୟର
ସ୍ମୃତି ସ୍ମାରକୀ ଆଜି ବି ପାହାଡ ଗୁମ୍ଫାରେ
ବିଦ୍ୟମାନ…..
ତଥାପି ଆମେ କଳ୍ପନା ମଧ୍ୟରେ ଭ୍ରମିତ….!!
ଆମେ ଅନେକ ରହସ୍ୟ ଭେଦ କରି ପାରିନୁ
ତଥାପି ନିଜକୁ ନିଜେ ମହାଜ୍ଞାନୀ
ଏସବୁ ବହାପିଆ କଥା
ଅଗାଡି ପାଛୁଡି ପାଛୁଡି ହାଲିଆ….
ଯେତେ ଗୁଡିଏ ଗଞ୍ଜଡୁ ବିଚାର
ଆପଣେଇ ନେଉଛୁ ଆମେ
ଆଉ ଶିଖେଇଛୁ ଯେଉଁମାନଙ୍କୁ
ସେମାନେ ବି ଆମ ପରି ପାଗଳ….!!
ନୂତନ ଚିନ୍ତାଧାରା ଯେତେ ଦିନ ଯାଏ
ଆମ ମଗଜରେ ପଶିନି
ଆମ କଥାକୁ ଲୋକେ ଗ୍ରହଣ କରିବେ ନି
ବହୁତ ଲୋକ ମୁହଁ ମୋଡ଼ି ଚାଲିଗଲେଣି
ଆମ ଭିତରରେ ଯୋଉମାନେ କଣ ଗୁଞ୍ଜା
ସେମାନେ ଯିବା ପାଇଁ ବାହାରିଛନ୍ତି
ହିମାଳୟ ଚଢି ଚଢି ସ୍ୱର୍ଗକୁ ଯିବାକୁ…..
ଆଉ ଯେତେ ଅପେକ୍ଷାରେ ଅଛନ୍ତି
ସେମାନେ ବି ଆଜି ନହେଲେ
କାଲି କି ଆସିବାକୁ କୋକେଇ ସଜାଡୁଛନ୍ତି
ମହାଯାତ୍ରା ପାଇଁ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭