“ଭିତ୍ତିଭୂମି ଅଛି, ଡାକ୍ତର ନାହାନ୍ତି; ଯାଜପୁର ମେଡିକାଲ କଲେଜରେ ୬୯ ପଦ ଖାଲି” ।

0 0

ଯାଜପୁର,୧୬/୦୯(ପିପିଟି ):ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ବି ସମ୍ପୂର୍ଣ୍ଣ ଚିକିତ୍ସା ସେବା ଉପଲବ୍ଧ ହୋଇପାରିନାହିଁ। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିଲେ ମଧ୍ୟ ରୋଗୀ ଆଡମିସନ୍‌ ସହ ବିଭିନ୍ନ ବିଭାଗର ସେବା ପୂରା କାର୍ଯ୍ୟକ୍ଷମ ହୋଇନାହିଁ।

ବର୍ତ୍ତମାନ ମେଡିସିନ୍‌, ସ୍କିନ୍‌, ସାଇକିଆଟ୍ରି ଓ ସର୍ଜରି ବିଭାଗର ଓପିଡି ଚାଲୁଥିବାବେଳେ ଅସ୍ଥିଶଲ୍ୟ ବିଭାଗରେ କେବଳ ଓଟି ସେବା ମିଳୁଛି। କାଜୁଆଲିଟି, ଏମ୍‌ଆର୍‌ଆଇ, ଡିଜିଟାଲ ଏକ୍ସ-ରେ, ରକ୍ତଭଣ୍ଡାର ଓ ଅନ୍ୟାନ୍ୟ ନିଦାନମୂଳକ ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଚାଲୁ ହୋଇନାହିଁ। ଫଳରେ ଗୁରୁତର ରୋଗୀଙ୍କୁ ଏବେ ବି କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ୁଛି।

୬୯ ଫାକଲ୍ଟି ପଦ ଖାଲି

ମେଡିକାଲ କଲେଜର ୨୧ଟି ବିଭାଗ ପାଇଁ ମଞ୍ଜୁରିପ୍ରାପ୍ତ ୧୫୭ଟି ଫାକଲ୍ଟି ପଦ ମଧ୍ୟରୁ ୬୯ଟି ପଦ ଖାଲି ରହିଛି। ଏଥିରେ ୫ ପ୍ରଫେସର, ୨୭ ଆସୋସିଏଟ୍‌ ପ୍ରଫେସର, ୮ ଆସିଷ୍ଟାଣ୍ଟ ପ୍ରଫେସର, ୨୬ ସିନିୟର ରେସିଡେଣ୍ଟ ଓ ୩ ଟ୍ୟୁଟର ପଦ ଅନ୍ତର୍ଭୁକ୍ତ।

ଫାକଲ୍ଟି ଅଭାବର ପ୍ରଭାବ ରୋଗୀସେବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ଶିକ୍ଷା ଉପରେ ମଧ୍ୟ ପଡ଼ୁଛି। ପ୍ରଥମ ଓ ଦ୍ୱିତୀୟ ବର୍ଷକୁ ମିଶାଇ ଏବେ ୧୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ନୂଆ ମେଡିକାଲ କଲେଜ ପରିସରରେ ଭିତ୍ତିଭୂମି ପ୍ରସ୍ତୁତ ଥିଲେ ମଧ୍ୟ ଆବଶ୍ୟକ ମାନବ ସମ୍ବଳ ଓ ଚିକିତ୍ସା ସୁବିଧାର ଅଭାବ ଯୋଗୁଁ ସମସ୍ତ ସେବା ଆରମ୍ଭ ହୋଇପାରିନାହିଁ। ଦୈନିକ ୨୫୦୦ରୁ ଅଧିକ ରୋଗୀ ନିର୍ଭର କରୁଥିବା ଜିଲ୍ଲାରେ ଏହି ଅଧୁରା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି।

ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ ଫାକଲ୍ଟି ଅଭାବ ଯୋଗୁଁ ଶିକ୍ଷା ଓ ରୋଗୀସେବା ପ୍ରଭାବିତ ହେଉଥିବା ସ୍ୱୀକାର କରିଛନ୍ତି। ଯାଜପୁରବାସୀଙ୍କ ଦୀର୍ଘଦିନର ଆଶା ପୂରଣ ପାଇଁ ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଖାଲି ପଦବି ପୂରଣ ଦାବି ଜୋର ଧରିଛି।

Leave A Reply

Your email address will not be published.