ଛତ୍ରପୁର,୧୪/୦୪(ପିପିଟି):ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା, ସାମାଜିକ ସମାନତା ଓ ନ୍ୟାୟର ସଂଗ୍ରାମୀ ,ଅବହେଳିତଙ୍କ ଅଧିକାରର ସ୍ବର, ଶିକ୍ଷାର ମହତ୍ତ୍ୱର ପ୍ରଚାରକ ଭାରତ ରତ୍ନ ବାବା ସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୬ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ଓଡିଆ ନବବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ମହା ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ତୈଳଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଗଞ୍ଜାମ ଡ. ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କହିଥିଲେ ଯେ, ଡଃ ଆମ୍ବେଦକର ନିଜର ପ୍ରଗାଢ ପାଣ୍ଡିତ୍ଯ, ବିଚକ୍ଷଣ ବୁଦ୍ଧି ଓ ଅନ୍ୟ ଜ୍ଞାନୀଗୁଣି ବ୍ୟକ୍ତିଙ୍କ ସହଯୋଗରେ ବିଶ୍ବର ସର୍ବ ବୃହତ୍ ଲିଖିତ ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିଥିଲେ । ସେହି ସମ୍ବିଧାନ ଆମକୁ ସମସ୍ତ ପ୍ରକାର ସ୍ବାଧୀନତା ଓ ସମତା ପ୍ରଦାନ କରିଛି । ନିଜେ ବିକଶିତ ହେଲେ ପରିବାର ବିକଶିତ ହେବ,ପରେ ପରେ ଗାଁ, ସମାଜ, ରାଜ୍ୟ ଓ ଦେଶ ବିକଶିତ ହୋଇ ପାରିବ ବୋଲି କହିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ଯରେ କହିଥିଲେଯେ, ଆମ ସମ୍ବିଧାନ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ବିଧାନ । ରାଜ୍ଯ ଓ କେନ୍ଦ୍ର,ଧନୀ ଓ ଗରିବ ମଧ୍ଯରେ କିପରି ସନ୍ତୁଳନ ରକ୍ଷାକରି ସାମ୍ବିଧାନିକ ଧାରା ଅନୁଯାୟୀ କିପରି ଶାସନ ପରିଚାଳନା କରାଯାଇପାରିବ ତାହା ସମ୍ବିଧାନରେ ଉଲ୍ଲେଖ ରହିଛି । ଆମ ସମ୍ବିଧାନ ହିଁ ଆମକୁ ଭାରତୀୟ ନାଗରିକ ରୂପେ ପରିଚୟ ଦେଇଥାଏ । ଆଜି ମଧ୍ୟ ସମାଜରେ ଅସମାନତା ରହିଛି,ତାହାକୁ ଆଜିର ଯୁବପିଢି ଦୂର କରି ଏକ ସୁନ୍ଦର ଓ ସମତାପୂର୍ଣ୍ଣ ଦେଶ ଗଢିବା ପାଇଁ ସେ ଯୁବପିଢିଙ୍କୁ ଆହ୍ବାନ କରିଥିଲେ । ଅନ୍ଯତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ସୁନୀଲ କୁମାର କେର୍କେଟା ଯୋଗଦେଇ କହିଥିଲେ ଯେ,ସମ୍ବିଧାନ ଆମକୁ ଦେଇଛି ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ଯ । ସମାଜ ସବୁ ସମୟରେ ଅଧିକାର କଥା ଉଚ୍ଚସ୍ଵରରେ କହିଆସିଛି,ସାମ୍ପ୍ରତିକ ସମାଜକୁ ଏବେ କର୍ତ୍ତବ୍ୟ ବିଷୟରେ ଉଚ୍ଚସ୍ଵରରେ କହିବାକୁ ପଡିବ ତାହାହେଲେ ଯାଇ ଆମେ ଆମ୍ବେଦକରଙ୍କ ପରି ମହାମନୀଷୀଙ୍କ ସ୍ଵପ୍ନର ଭାରତ ଗଢିପାରିବା । ଅନ୍ଯତମ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ୍. ନାରାୟଣ ରେଡ୍ଡୀ ଯୋଗଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସତୀର୍ଥ ସ୍ମୃତି ଚାରଣ କରିବା ସହିତ ୪୦ ବର୍ଷ ତଳର ସମାଜ ଓ ବର୍ତ୍ତମାନର ସମାଜର ଏକ ତୁଳନାତ୍ମକ ଚିତ୍ର,ବିବିଧତା ମଧ୍ୟରେ ବିକାଶ,ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖିତ ଭାବଧାରା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ଯ ବକ୍ତା ଭାବେ ଶିକ୍ଷାବିତ୍ ତଥା ଆଇନଜୀବୀ ରଞ୍ଜନ ମହାପାତ୍ର ଯୋଗଦେଇ କହିଥିଲେ ଯେ,ସ୍ବାଧୀନ ଭାରତର ଗଣତନ୍ତ୍ର ଶାସନର ସମ୍ବିଧାନ ପ୍ରଣୟନ କରିବା ଥିଲା ସମଗ୍ର ଭାରତୀୟଙ୍କ ପାଇଁ ତାଙ୍କର ସର୍ବାଧିକ ଅବଦାନ । ଅଧିକାର ଓ ଦାବୀ ହାସଲ ଦିଗରେ ତାଙ୍କର ଶିକ୍ଷା ଓ ଦର୍ଶନ , ଆଜି ଲୋକ ମାନଙ୍କ ପାଇଁ ଏକ ମାର୍ଗ ଦର୍ଶିକା ଭାବେ କାର୍ଯ୍ୟ କରୁଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଡଃ ଆମ୍ବେଦକରଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେଯେ, ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନୋତ୍ତର ଭାରତ ବର୍ଷରେ ଯେଉଁ କେତେ ଜଣ ମନୀଷୀ ନିଜର ସାଧନା, ନିଷ୍ଠା, ଅଧ୍ଯବସାୟ ଓ କଠୋର ତପସ୍ଯା ବଳରେ ସାମ୍ପ୍ରତିକ ସମାଜ ତଥା ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ଯରେ ଭାରତ ରତ୍ନ ଡଃ ଆମ୍ବେଦକର ଥିଲେ ଅନ୍ଯତମ । ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ନିମନ୍ତେ ବିଭିନ୍ନ ବିଦ୍ଯାଳୟ ଓ ମହାବିଦ୍ଯାଳୟ ସ୍ତରରେ କରାଯାଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଆଇନଜୀବୀ ଡ଼ଃ ପ୍ରଶାନ୍ତ ଶତପଥି, ସୟଦ ମୁକ୍ତାର,ଦିଲ୍ଲୀପ ପଲ୍ଲାଇଙ୍କ ସମେତ ବହୁ ବୁଦ୍ଧିଜୀବୀ,ସାମ୍ବାଦିକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ମଧ୍ୟ ପାଳନ କରାଯାଇଛି । ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ଯବାଦ ଅର୍ପଣ କରିଥିଲେ ।