ବେଆଇନ ଭାବେ ଜିନିଷପତ୍ର ବିକ୍ରି କରୁଥିବା ୬ଗିରଫ ।

0 246

ଭଞ୍ଜନଗର,୦୯/୦୩(ପିପିଟି ):ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂ ଥାନା ପୋଲିସ ସୋମବାର ଉତ୍ତରପ୍ରଦେଶର ୬ ଜଣ ଯୁବକଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲିବୁଲି କିଛି ନାମୀଦାମୀ କମ୍ପାନୀର ଜିନିଷକୁ କମ୍‌ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସର ସନ୍ଦେହ ବଢ଼ିବା ସହ ଅଭିଯୁକ୍ତମାନଙ୍କୁ ଅଟକ ରଖି ବିକ୍ରି କରୁଥିବା ଜିନିଷର ରସିଦ ମାଗିଥିଲେ। କିନ୍ତୁ ସେମାନେ ରସିଦ ଦେଖାଇ ପାରି ନ ଥିଲେ। ତେଣୁ ଏହା ଚୋରା ଜିନିଷ କିମ୍ବା ନକଲି ଜିନିଷ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ ଏହିଭଳି ବେନିୟମ କାରବାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ପୋଲିସ ଏକାଧିକ ମୋବାଇଲ ଫୋନ୍‌, ଗ୍ୟାସ ଚୁଲା, ଏଲ୍‌ଇଡି ଟିଭି, ଘଣ୍ଟା, ଗାଡ଼ି ପ୍ରମୁଖ ଜିନିଷ ଜବତ କରିଛି। ଏନେଇ ପୋଲିସ ୬୯/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଭଞ୍ଜନଗର ସହର କେନାଲ ସାହିରେ ଉତ୍ତରପ୍ରଦେଶରୁ ଆସି ଭଡ଼ା ଘରେ ରହି ବୁଲିବୁଲି ବ୍ୟବସାୟ କରୁଥିଲେ। ଗତକାଲି ସେଥିମଧ୍ୟରୁ ଦୁଇଜଣ ରାଇପଲ୍ଲୀ ଅଞ୍ଚଳରେ ନାମୀଦାମୀ ବ୍ରାଣ୍ଡ ଲୋଗୋ ଥିବା ଏକ ଟିଭିକୁ ୮୦୦୦ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଏନେଇ ଲୋକେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆସିବାର ଜାଣି ସେମାନେ ସେଠାରୁ ଚାଲି ଯାଇଥିଲେ। ଏହାପରେ ପୋଲିସ ତିନିଛକିଆ ନିକଟରେ ସେମାନଙ୍କୁ କାବୁ କରି ପଚରାଉଚରା କରିବା ପରେ ସେମାନେ ଧରିଥିବା ଜିନିଷର ବିଲ ଦେଖାଇ ପାରି ନ ଥିଲେ। ତେଣୁ ପୋଲିସ ତଦନ୍ତ କରି ସର୍ବ ମୋଟ୍‌ ୬ ଜଣକୁ ଗିରଫ କରିଛି। ଏନେଇ ଥାନା ଅଧିକାରି ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି ଯେ, ବିକ୍ରି କରାଯାଉଥିବା ଜିନିଷଗୁଡ଼ିକ ନକଲି ହୋଇଥାଇ ପାରେ ନ ହେଲେ ତାହା ଚୋରି ଜିନିଷ ହୋଇଥିବ। ତେଣୁ ଲୋକଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.