ଗଞ୍ଜାମ,୧୭/୦୬(ପିପିଟି): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ “ଜାଗୃତି ଯୋଜନା” ଅନ୍ତର୍ଗତ “ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା” ବିଷୟବସ୍ତୁକୁ ନେଇ ଆଜି ଗୋପାଳପୁରସ୍ଥିତ ଜରା ନିବାସରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଞ୍ଜାମର ସଚିବ ବ୍ୟୋମକେଶ ନାୟକ ସଭାପତିତ୍ୱ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକଙ୍କ ଅଧିକାର, ସେମାନଙ୍କ ସୁରକ୍ଷା, ଭରଣପୋଷଣ ଏବଂ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ,ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ, ଯତ୍ନ ଓ ମର୍ଯ୍ୟାଦା ପ୍ରଦର୍ଶନ କରିବା ପ୍ରତ୍ୟେକ ପରିବାର ଓ ସମାଜର ନୈତିକ ଦାୟିତ୍ୱ।
କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ (ଡିଏସଏସଓ), ଗଞ୍ଜାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା, ଭତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ।
ଜରା ନିବାସର ବରିଷ୍ଠ ନାଗରିକମାନେ ମଧ୍ୟ ନିଜ ମତାମତ ପ୍ରକାଶ କରି ସମାଜରେ ବୃଦ୍ଧମାନଙ୍କ ପ୍ରତି ସମ୍ମାନ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଶେଷରେ, ବୃଦ୍ଧ ନିର୍ଯାତନା ବିରୋଧରେ ସମସ୍ତଙ୍କୁ ସଚେତନ ହୋଇ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜରା ନିବାସର ଅନ୍ତେବାସୀ,କର୍ମଚାରୀ ଏବଂ ଅନ୍ୟାନ୍ୟ ସଚେତନ ନାଗରିକମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମଟି ବ୍ୟୋମକେଶ ନାୟକଙ୍କ ଦ୍ୱାରା ସୂଚାରୁ ରୂପେ ପରିଚାଳନା କରାଯାଇଥିଲା ।