ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ।

0 42

ମାଲକାନଗିରି, ୧୭/୦୬(ପିପିଟି):ଓଡ଼ିଶା ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନଠାରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମର ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନେ ଯୋଗଦେଇ ମାଲକାନଗିରିର ବିକାଶମୂଳକ ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଯୋଜନା ଏବଂ ପର୍ଯ୍ୟାଲୋଚନା ଉପ-ନିର୍ଦ୍ଦେଶକ ପରମେଶ୍ୱର ରାଉତ ଉପସ୍ଥିତ ଥିଲେ।ଏହି ଅବସରରେ ମାନ୍ୟବର ବିଧାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ ମାଲକାନଗିରିର ବିକାଶ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ଏକ ସଂକଳ୍ପ । ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ମାଧ୍ୟମରେ ଆଜି ଆମ ଜିଲ୍ଲାର ପ୍ରତିଟି କୋଣରେ, ପ୍ରତିଟି ବ୍ଲକରେ ପ୍ରଗତିର ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରିଛି । ସରକାରୀ ବିଭାଗଗୁଡ଼ିକର ନିଷ୍ଠାପର ଉଦ୍ୟମ ଏବଂ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଯୋଜନା ଆଜି ମାଲକାନଗିରିର ଶେଷ ସୀମାନ୍ତରେ ଥିବା ବ୍ୟକ୍ତିଙ୍କ ପାଖରେ ମଧ୍ୟ ପହଞ୍ଚିପାରିଛି । ଆଗାମୀ ଦିନରେ ସମସ୍ତେ ମିଳିମିଶି ଏହି ବିକାଶର ଧାରାକୁ ଆହୁରି ତ୍ଵରାନିତ କରିବା ପାଇଁ ବିଧାୟକ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। କାର୍ଯ୍ୟକ୍ରମକୁ ଆଗେଇ ନେଇ ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ପ୍ରଗତି ଓ ସଫଳତା ସମ୍ପର୍କରେ ନିଜ ବକ୍ତବ୍ୟ ରଖି କହିଛନ୍ତି ଯେ ଗୋଟିଏ ସମୟରେ ଦୁର୍ଗମ ଆଖ୍ୟା ପାଇଥିବା ମାଲକାନଗିରି ଆଜି ଓଡ଼ିଶାର ବିକାଶ ମାନଚିତ୍ରରେ ଏକ ଅଗ୍ରଣୀ ଓ ଆଦର୍ଶ ଜିଲ୍ଲା ଭାବେ ଉଭା ହୋଇଛି। ଚାଷୀ ଭାଇଙ୍କ ସଶକ୍ତୀକରଣ, ମା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଏବଂ ଦୁର୍ଗମ ଅଞ୍ଚଳର ଜନଜାତି ଯୁବ ପ୍ରତିଭାଙ୍କ ମେଡିକାଲ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହିଁ ବାସ୍ତବ ପ୍ରଗତିର ପ୍ରମାଣ। ସମ୍ପୂର୍ଣ୍ଣତା ଅଭିଯାନରେ ଜିଲ୍ଲାକୁ ମିଳିଥିବା ୪ଟି ସ୍ୱର୍ଣ୍ଣ ପଦକ ପ୍ରଶାସନର ନିରନ୍ତର ପ୍ରୟାସ ଓ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗର ମିଳିତ ପରିଣାମ। ଆଗାମୀ ଦିନରେ ରେଳପଥ, ଏୟାରଷ୍ଟ୍ରିପ୍ ଏବଂ ପର୍ଯ୍ୟଟନର ବିକାଶ ମାଲକାନଗିରିର ସାମଗ୍ରିକ ଚେହେରା ବଦଳାଇ ଦେବ। ମାଲକାନଗିରିକୁ ଓଡ଼ିଶାର ଏକ ସର୍ବଶ୍ରେଷ୍ଠ, ସୁସ୍ଥ ଓ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ତଥା ସଫଳ ପରିଚାଳନା କରିଥିଲେ।ଏହି ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଭାବେ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍ ମାନ ଆୟୋଜନ କରାଯାଇଥିଲା। ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନା, ସଫଳତା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଅତିଥିମାନେ ଏହି ଷ୍ଟଲଗୁଡ଼ିକୁ ବୁଲି ଦେଖିବା ସହ ପ୍ରଶାସନର ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ। ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଯୋଜନାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ବିକାଶ କାର୍ଯ୍ୟକ୍ରମ ସହ ଜଡ଼ିତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଅବସରରେ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କଲ୍ୟାଣମୂଳକ ଯୋଜନାର ଅଗ୍ରଗତିକୁ ନେଇ ଏହି ସମ୍ମିଳନୀରେ ଏକ ସକାରାତ୍ମକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.